ମୁମ୍ବାଇ: ବଲଉଡର ବିନ୍ଦାସ୍ ଯୋଡ଼ି ଗୋବିନ୍ଦା ଏବଂ ସୁନୀତାଙ୍କ ଛାଡ଼ପତ୍ର ଚର୍ଚ୍ଚା ପୁଣି ଥରେ ଜୋର ଧରିଛି । ଗୋବିନ୍ଦାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ସୁନୀତା । ଅନୈତିକ ପ୍ରେମ ସମ୍ପର୍କ, ନିର୍ଯ୍ୟାତନା ଏବଂ ଏକୁଟିଆ କରିଦେବା ଭଳି ଅଭିଯୋଗ କରିଛନ୍ତି ସୁନୀତା । ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଛାଡ଼ପତ୍ର ପାଇଁ ସୁନୀତା ଫ୍ୟାମିଲି କୋର୍ଟରେ ଆବେଦନ କରିଥିବା ଗୋବିନ୍ଦାଙ୍କ ମ୍ୟାନେଜର ସ୍ୱୀକାର କରିଛନ୍ତି ।
ଗୋବିନ୍ଦା ଏବଂ ସୁନୀତା ନିଜ ଛାଡ଼ପତ୍ର ଖବରକୁ ନେଇ କୌଣସି ଖୁଲାସା ଏ ଯାଏ କରିନାହାଁନ୍ତି । କିନ୍ତୁ ସୁନୀତା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୋବିନ୍ଦାଙ୍କ ମ୍ୟାନେଜର ଶଶି । ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମ୍ୟାନେଜର କହିଛନ୍ତି, ପ୍ରତ୍ୟେକ ଦମ୍ପତ୍ତିଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥାଏ । କିନ୍ତୁ କିଛି ବ୍ୟକ୍ତି ଏହାକୁ ନିଜ ଫାଇଦା ପାଇଁ ମସଲା ଦେଇ ବ୍ୟବହାର କରୁଛନ୍ତି । ଖାଲି ସେତିକି ନୁହେଁ ନିର୍ଯ୍ୟାତନା ପ୍ରଶ୍ନର ଉତ୍ତର ଦେଇଛନ୍ତି ଯେ ଗୋବିନ୍ଦାଙ୍କ ଭଳି ବ୍ୟକ୍ତି କାହା ଉପରେ ହାତ ଉଠାଇ ପାରିବେ ନାହିଁ । ସେ ଚିଲେଇ ବି ପାରନ୍ତି ନାହିଁ, ଅତ୍ୟାଚାର ଭଳି ଅଭିଯୋଗ କେଉଁଠୁ ଆସୁଛି । ମୁଁ ତାଙ୍କ ସହିତ ଅତି ନିକଟରୁ କାମ କରିଛି । ଯେମିତି ତାଙ୍କ ବିଷୟରେ କୁହାଯାଉଛି, ସେ ମଣିଷ ବିଲକୁଲ ସେମିତି ନୁହଁନ୍ତି ।
ତେବେ ମ୍ୟାନେଜର ଶଶି ସନୀତାଙ୍କ ଛାଡ଼ପତ୍ର ଆବେଦନକୁ ମଧ୍ୟ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଗୋବିନ୍ଦା କୋର୍ଟ ଯାଇନଥିଲେ । କିନ୍ତୁ ସୁନୀତା ମଧ୍ୟ ଯାଇନଥିଲେ । କେବଳ ଆବେଦନ ବେଳେ ହିଁ ଥରେ ମାତ୍ର କୋର୍ଟ ଯାଇଥିଲେ ସୁନୀତା । ଦୁଇ ଜଣେ ଏବେ ସାଙ୍ଗ ହୋଇ ରହୁଛନ୍ତି । ସେମାନଙ୍କ ମଧ୍ୟରେ କୌଣସି ଛାଡ଼ପତ୍ର ହେବାର ନାହିଁ । ଗୋବିନ୍ଦାଙ୍କ ଓକିଲ ମଧ୍ୟ ସମାନ କଥା କହିଛନ୍ତି । ଗତ ଛଅ ମାସ ତଳେ ସନୀତା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ଏବେ ସବୁକିଛି ଠିକ୍ ଚାଲିଛି ।
ଗୋବିନ୍ଦା ଏବଂ ସୁନୀତାଙ୍କର ଦୀର୍ଘ ୩୪ ବର୍ଷର ବୈବାହିକ ସମ୍ପର୍କ । ପୂର୍ବରୁ ମଧ୍ୟ ଫେବୃୟାରୀରେ ଗୋବିନ୍ଦା ଏବଂ ସୁନୀତାଙ୍କ ଅଲଗା ହେବାକୁ ନେଇ ଖବର ଆସିଥିଲା । ସେତେବେଳେ ମ୍ୟାନେଜର ଏହି ଖବରକୁ ଖଣ୍ଡନ କରିଥିଲେ । ସୁନୀତା ମଧ୍ୟ ଏକ ପ୍ରତିକ୍ରିୟାରେ କହିଥିଲେ ଯେ ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହାଁନ୍ତି ଯିଏ ଗୋବିନ୍ଦାଙ୍କୁ ତାଙ୍କ ଠାରୁ ଅଲଗା କରିପାରିବ ।