ପୁରୀ: ଖୁବ ଶୀଘ୍ର ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନ ଗୃହ ହେବ । ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ଏପରି ବ୍ୟବସ୍ଥା କରାଯିବ । ଫଳରେ ଶିଶୁ ଓ ମା’ମାନଙ୍କର କୌଣସି ଅସୁବିଧା ହେବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚୀସ୍ମିତା ଏବଂ ଅନ୍ୟ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ସ୍ଥାପନା ପାଇଁ ସ୍ଥାନ ନିରୂପଣ କରିଛନ୍ତି। ଶ୍ରୀମନ୍ଦିର ପରିସର ଶାଖା କାର୍ଯ୍ୟାଳୟ ନିକଟରେ ସ୍ତନ୍ୟପାନ ଗୃହ ପାଇଁ ନିଷ୍ପତ୍ତି ନିଆଯାଇଛି ।
ସ୍ତନ୍ୟପାନ ଗୃହ ପରିଚାଳନା ପାଇଁ ଜଣେ ସ୍ବତନ୍ତ୍ର ମହିଳା ସହାୟିକା ରହିବେ । ସମ୍ପୃକ୍ତ ଗୃହରେ ଗୋପନୀୟତା, ପରିମଳ ଏବଂ ମା' ତଥା ଶିଶୁଙ୍କ ସ୍ବାଚ୍ଛନ୍ଦ୍ୟ ଉପରେ ଦୃଷ୍ଟି ଦିଆଯିବ । ତୁରନ୍ତ କାର୍ଯ୍ୟକାରୀ ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ଦିନ ଧରି ଶ୍ରୀମନ୍ଦିର ପରିସରରେ ସ୍ତନ୍ୟପାନ ଗୃହ ପାଇଁ ଦାବି ହୋଇ ଆସୁଥିବା ବେଳେ ଏହା ବହୁ ଶୀଘ୍ର କାର୍ଯ୍ୟକାରୀ ହେବ ।