ରାୟଗଡ଼ା ଜିଲ୍ଲାରେ କିଛି ଦିନ ତଳେ ଏକ ଯୁବକଙ୍କୁ ଗୁଣି ଗାରେଡି ସନ୍ଦେହରେ ବିଷ ପିଆଇ ମାରିଦେଇଥିବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ପୁଣି ଆଉ ଏକ ଘଟଣା ଜିଲ୍ଲାରେ ଘଟିଯାଇଛି । ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ବିଭତ୍ସ ଭାବେ ହତ୍ଯା କରାଯାଇଥିବା ଜଣାପଡ଼ିଛି । ଏଭଳି ଅମାନବୀୟ ଘଟଣା ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ସାନସିଗୁରୁ ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ ୫୪ ବର୍ଷିୟା ନାରାୟଣ ମାଣ୍ଡାଙ୍ଗିକୁ ଏକ ଧାରୁଆ ଅସ୍ତ୍ର ଓ କାଠ ଫାଳିଆରେ ଆକ୍ରମଣ କରି ହତ୍ଯା କରାଯାଇଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୪ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଦୀର୍ଘ ଦିନ ହେବ ଗ୍ରାମର ନାରାୟଣ କୁ କିଛି ଲୋକ ଗୁଣିଆ ସନ୍ଦେହରେ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗ୍ରାମରେ କିଛି ଲୋକ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଲୋକେ ନାରାୟଣ ଗୁଣିଗାରେଡି କରୁଛି ବୋଲି ଅଭିଯୋଗ କରୁଥିଲେ। ତେବେ ରାତିରେ ନାରାୟଣ ଶୋଇଥିବା ବେଳେ କିଛି ଲୋକ ସଂଘବଦ୍ଧ ଭାବେ ନାରାୟଣ ର ଘରକୁ ଆସି ଗାଳିଗୁଲଜ କରିବା ସହ ମାରପିଟ୍ କରିଥିଲେ। କାଠ ଫାଳିଆ ଓ ଏକ ଧାରୁଆ ଅସ୍ତ୍ରରେ ନାରାୟଣ ର ବେକକୁ ବାରମ୍ବାର ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ସେ ମୃତ୍ଯୁବରଣ କରିଥିଲେ। ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତ ରହିଛି ତାକୁ ନେଇ ଶେଷଖାଲ ପୁଲିସ ତନାଘନା ଆରମ୍ଭ କରିଛି। ଅନ୍ଯପଟେ ରାୟଗଡା ଜିଲ୍ଲାର ସଦର ବ୍ଳକରେ ବାରମ୍ବାର ଗୁଣିଗାରେଡି ଜନିତ ହତ୍ଯା ଘଟଣା ନଜରକୁ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ହାତକୁ ନିଆଯାଉନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।