ନୂଆଦିଲ୍ଲୀ: ବିହାରର ଜଣେ ସରକାରୀ ଅଧିକାରୀ ଅଦ୍ଭୁତ କାରନାମା କରିଛନ୍ତି । ଜଣେ ସରକାରୀ ଇଞ୍ଜିନିୟର ଦୀର୍ଘ ଦିନ କାର୍ଯ୍ୟ ରହିବା ପରେ ଏକାଠି କରିଥିବା କଳାଧନକୁ ଶେଷରେ ନିଜ ହାତରେ ନିଆଁ ଲଗାଇ ଦେଇଛନ୍ତି । ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ ପ୍ରାୟ ୩ କୋଟି ଟଙ୍କାକୁ ରାତାରାତି ଜାଳି ଦେଇଛନ୍ତି । ତଥାପି ତାଙ୍କ ବାସଭବନରୁ ୩୯ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ତାଙ୍କ ପରିଚୟ ହେଲା ବିନୋଦ ରାୟ । ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ୟୁନିଟ୍ ତାଙ୍କୁ ଗିରଫ କରିଛି ।
ଇଞ୍ଜିନିୟର ବିନୋଦ ରାୟ ଗୁରୁବାର ସୀତାମଢ଼ୀରୁ ନଗଦ ଟଙ୍କା ନେଇ ପାଟନା ଯାଉଥିଲେ । ଏ ନେଇ ଇଓୟୁକୁ ଗୁପ୍ତ ସୂଚନା ମିଳିଥିଲା । ଇଓୟୁ ଟିମ୍ ତାଙ୍କ ପିଛା କରି ଧରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ତାଙ୍କ ପାଟନା ବାସଭବନରେ ଚଢ଼ଉ କରିଥିଲା । ଏହି ସମୟରେ ତାଙ୍କ ପତ୍ନୀ ଟିମ୍ ସାମ୍ନାରେ ଛିଡ଼ା ହୋଇଯାଇଥିଲେ । ସେ ଘରେ ଏକାଥିବାରୁ ଘରକୁ ପଶି ପାରିବେ ନାହିଁ ବୋଲି କହିଥିଲେ ।
କିନ୍ତୁ ଅନ୍ୟପକ୍ଷରେ ଉପର ମହଲାରେ ଏକ ବନ୍ଦ କୋଠରୀରେ ଇଞ୍ଜିନିୟର ଟଙ୍କା ଜାଳୁଥିଲେ । ତଥାପି ୩୯ ଲକ୍ଷ ୫୦ ହଜାର ନଗଦ ଟଙ୍କା ରହିଯାଇଥିଲା । ଶୁକ୍ରବାର ସକାଳେ ଇଓୟୁ ଟିମ୍ ଯେତେବେଳେ ଚଢ଼ଉ କରିଥିଲା ସେତେବେଳେ ପାଣି ଟାଙ୍କି ଭିତରୁ ଉକ୍ତ ନଗଦ ଟଙ୍କା ଜବତ କରିଥିଲେ । ପ୍ରାୟ ୨ରୁ ୩ କୋଟି ଟଙ୍କା ସେ ଜାଳି ଦେଇଥିବା ଅନୁମାନ କରାଯାଉଛି ।
ଆକଳନ ଅନୁସାରେ, ଇଞ୍ଜିନିୟର ବିନୋଦ ରାୟଙ୍କର ପ୍ରାୟ ୧୦୦ କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ରହିଛି । ତାଙ୍କର ୧୮ ଡିଡି, ୧୫ ବ୍ୟାଙ୍କ୍ ପାସବୁକ୍ ଓ ଅନେକ ସଂସ୍ଥାରେ ଅଂଶୀଦାର ମଧ୍ୟ ଅଛନ୍ତି । ତତସହିତ ୨୬ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ବୀମା ମଧ୍ୟ ମିଳିଛି । ଏଥିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ହସ୍ତକ୍ଷେପ କରିପାରେ ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ବିନୋଦ ରାୟ ଗ୍ରାମୀଣ କାର୍ଯ୍ୟ ବିଭାଗରେ ସୀତାମଢ଼ୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ହିସାବରେ କାମ କରନ୍ତି ।