ମୁମ୍ବାଇ: ଆର୍ଥିକ ହେରଫେର୍ ମାମଲାରୁ ବାହାରି ପାରୁ ନାହାଁନ୍ତି ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ । ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଜାଲରେ ଅନୀଲ ପଡ଼ିଛନ୍ତି । ଅନୀଲ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନରେ ସିବିଆଇ ପଶିଛି । ୧୭, ୦୦୦ କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗରେ ଅନୀଲଙ୍କ ଘରେ ଚଢ଼ଉ କରାଯାଉଛି ।
ଶନିବାର ସକାଳ ପ୍ରାୟ ୭ଟା ବେଳେ ମୁମ୍ବାଇର କଫ୍ ପରେଡ଼ରେ ଥିବା ‘ସିବିଂଡ’ ବାସଭବନରେ ଚଢ଼ଉ ଆରମ୍ଭ ହୋଇଛି । ପ୍ରାୟ ୭ରୁ ୮ ଜଣ ଅଧିକାରୀ ସାମିଲ ଅଛନ୍ତି । ଅନୀଲଙ୍କ ସମେତ ପୁରା ପରିବାର ଘରେ ଉପସ୍ଥିତ ଅଛନ୍ତି । ରିଲାଏନ୍ସ ଏଡିଏ ଗ୍ରୁପ ସହିତ ଜଡ଼ିତ ଥିବା କମ୍ପାନୀକୁ ନେଇ ଯାଞ୍ଚ ହେଉଛି ।
ପ୍ରକାଶ ଥାଉକି, ଅଗଷ୍ଟ ୪ରେ ମଧ୍ୟ ଇଡି ଅନୀଲ ଅମ୍ବାନୀଙ୍କୁ ଦିଲ୍ଲୀରେ ଜେରା କରିଥିଲା । ତାଙ୍କ ସହିତ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ପିଏମ୍ଏଲ୍ଏ ଆଧାରରେ ଜେରା କରାଯାଇଥିଲା । ଏଥିରେ ଅମ୍ବାନୀଙ୍କ ଅତି ଘନିଷ୍ଠ ଦୁଇ ଅଧିକାରୀ ଅମିତାଭ ଝୁନଝୁନବାଲା ଏବଂ ସତୀଶ ସେଠ୍ ସାମିଲ ଥିଲେ । ଏ ଦୁଇ ଅଧିକାରୀ ଅମ୍ବାନୀଙ୍କ ବ୍ୟବସାୟରେ ବଡ଼ ପଦବୀରେ ରହିଛନ୍ତି । ଏଯାବତ ପ୍ରାୟ ୬ଟି ସମନ ହୋଇସାରିଲାଣି ।