ନୂଆଦିଲ୍ଲୀ: ଟି-୨୦ ଏସିଆ କପ୍ ୨୦୨୫ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି । ଏଥିପାଇଁ ଅଂଶଗ୍ରହଣକାରୀ ଦଳଗୁଡିକ ଅଣ୍ଟା ଭିଡିଲେଣି । ଆଗାମୀ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଠିକ୍ ରଣନୀତି ତିଆରି କରିବାକୁ ଚାହିଁବେ । ଏସିଆ କପ୍ ୨୦୨୫ ପୂର୍ବରୁ ପାକିସ୍ତାନ ଏବଂ ବାଂଲାଦେଶ ଏକ ଟି-୨୦ ସିରିଜ୍ ଖେଳିବେ । ଯଦ୍ୱାରା ପ୍ରସ୍ତୁତି ଭଲ ହୋଇ ପାରିବ ଏବଂ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ସଂପୂର୍ଣ୍ଣ ଭାବେ ଟି-୨୦ ଫର୍ମାଟରେ ଜମିଯିବେ । ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ ପୂର୍ବରୁ କୌଣସି ସିରିଜ୍ ଖେଳୁ ନାହିଁ ଏବଂ ଖେଳାଳି ବିଶ୍ରାମ କରୁଛନ୍ତି ।
ପାକିସ୍ତାନୀ ଦଳ ୨୦୨୫ ଟି-୨୦ ଏସିଆ କପ୍ ପାଇଁ ଦଳ ଘୋଷଣା କରିଛି ଏବଂ ସଲମାନ ଅଲି ଆଗାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏବେ ଆଗାମୀ ଏସିଆ କପ୍ ପୂର୍ବରୁ, ପାକିସ୍ତାନୀ ଦଳ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ତ୍ରିକୋଣୀୟ ସିରିଜରେ ଅଂଶଗ୍ରହଣ କରିବ। ଏହି ସିରିଜରେ ପାକିସ୍ତାନ ବ୍ୟତୀତ ଆଫଗାନିସ୍ତାନ ଏବଂ ୟୁଏଇର ଦଳ ସାମିଲ ଅଛନ୍ତି। ତିନୋଟି ଦଳ ପରସ୍ପର ବିରୁଦ୍ଧରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏହା ପରେ ପଏଣ୍ଟ ଟେବୁଲର ଶୀର୍ଷ-୨ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ।
ଅନ୍ୟପକ୍ଷରେ, ବାଂଲାଦେଶ ମଧ୍ୟ ଆଗାମୀ ଏସିଆ କପ୍ ପାଇଁ ତାର ଦଳ ଘୋଷଣା କରିଛି ଏବଂ ଲିଟନ୍ ଦାସଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏସିଆ କପ୍ ୨୦୨୫ ପୂର୍ବରୁ, ବାଂଲାଦେଶ ଦଳ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ର ଏକ ସିରିଜ୍ ଖେଳିବ। ଏହି ସିରିଜ୍ ଅଗଷ୍ଟ ୩୦ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ ପର୍ୟ୍ୟନ୍ତ ଚାଲିବ।
ଏପରି ପରିସ୍ଥିତିରେ, ପାକିସ୍ତାନ, ୟୁଏଇ ଏବଂ ବାଂଲାଦେଶ ଦଳଗୁଡ଼ିକ ଭଲ ପ୍ରସ୍ତୁତି କରୁଛନ୍ତି। କିନ୍ତୁ ଭାରତୀୟ ଦଳ ଟି-୨୦ ସିରିଜ୍ ଖେଳୁନାହିଁ, ତେଣୁ ଦଳର ଦୁର୍ବଳତା ଏବଂ ଶକ୍ତି କିପରି ଜଣାପଡିବ ତାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ଏସିଆ କପ୍ ୨୦୨୫ ପୂର୍ବରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏକ ସିରିଜ୍ ଖେଳାଯିବାର ଥିଲା। କିନ୍ତୁ କିଛି କାରଣରୁ ଏହି ସିରିଜ୍ ହୋଇପାରିଲା ନାହିଁ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡକୁ ଅନ୍ୟ କୌଣସି ଦେଶ (ଯେପରିକି ଜିମ୍ବାୱେ କିମ୍ବା ଆୟର୍ଲାଣ୍ଡ) ସହିତ ଏକ ଟି-୨୦ ସିରିଜ୍ ଆୟୋଜନ କରିବା ଉଚିତ ଥିଲା। କିନ୍ତୁ ତାହା ହୋଇ ପାରିଲ ନାହିଁ । ଏବେ ସମୟ ହାତରୁ ଖସି ସାରିଛି । କାରଣ ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ ରୁ ଆରମ୍ଭ ହେଉଛି।
Also read: କେବେ ଦିନିକିଆରୁ ସନ୍ନ୍ୟାସ ନେବେ ରୋହିତ-କୋହଲି, ସ୍ପଷ୍ଟ କଲେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା