ନୂଆଦିଲ୍ଲୀ: ଆଇସିସିକୁ ନିଜର ଭୁଲ୍ କାରଣରୁ ପୁଣି ଥରେ ଦିିନିକିଆ ମାନ୍ୟତା ଜାରି କରିବାକୁ ପଡିଛି । ଏହା ପୂର୍ବରୁ ଆଇସିିସ ଯେଉଁ ଦିନିକିଆ ମାନ୍ୟତା ଜାରି କରିଥିଲା, ସେଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ନାଁ ନ ଥିଲା । ଏହା ପରେ ଆଇସିସି ନିଜର ଭୁଲ୍ ବୁଝି ପାରି ନିଜର ତ୍ରୁଟି ସୁଧାରିଛି ଏବଂ ନୂଆ ମାନ୍ୟତା ଜାରି କରିଛି ।
ଆଇସିସିର ସଦ୍ୟତମ ମାନ୍ୟତା ଅନୁଯାୟୀ, ଭାରତୀୟ ଓପନର ଶୁଭମନ ଗିଲ୍ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କର ରେଟିଂ ୭୮୪ ପଏଣ୍ଟ ରହିଛି । ଦ୍ୱିତୀୟରେ ଅଛନ୍ତି ରୋହିତ ଶର୍ମା(୭୫୬) ଏବଂ ତୃତୀୟରେ ଅଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ(୭୩୯) । ୭୩୬ ରେଟିଂ ପଏଣ୍ଟ ସହ ଚତୁର୍ଥରେ ଅଛନ୍ତି ବିରାଟ କୋହଲି ।
ଉଲ୍ଲେଖନୀୟ ଏହା ପୂର୍ବରୁ ବୁଧବାର ଆଇସିସି ଯେଉଁ ମାନ୍ୟତା ଜାରି କରିଥିଲା ସେଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ନାଁ ନ ଥିଲା । ବାବର ଆଜମଙ୍କୁ ଦ୍ୱିତୀୟ ସ୍ଥାନରେ ରଖାଯାଇଥିଲା । ସବୁଠୁ ବଡ କଥା ରୋହିତ ଓ ବିରାଟ ଦିନିକିଆ କ୍ରିକେଟ୍ ଖେଳୁଥିଲେ ହେଁ ଉଭୟଙ୍କୁ ଟପ୍-୧୦୦ରୁ ବାଦ୍ ଦିଆଯାଇଥିଲା । ଏହାକୁ ନେଇ ଖୁବ୍ ହଙ୍ଗାମା ହୋଇଥିଲା । ସାମାଜିକ ଗଣମାଧ୍ୟମରେ ଆଇସିସିକୁ ଖୁବ୍ ଟ୍ରୋଲିଂ କରାଯାଇଥିଲା । ପରେ ନିଜର ଭୁଲ୍ ବୁଝି ପାରି ମାନ୍ୟତାରେ ସଂଶୋଧନ କରିଛି ଆଇସିସି ।
ଆଇସିସି ନିଜର ବୟାନରେ କହିଛି ଯେ, ଚଳିତ ସପ୍ତାହରେ ଦିନିକିଆ ମାନ୍ୟତାର ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଯାହା ତ୍ରୁଟି ଥିଲା ତାହା ସଂଶୋଧନ କରାଯାଇଛି । ରୋହିତ ଦ୍ୱିତୀୟ ଏବଂ କୋହଲି ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହି ତ୍ରୁଟିରୁ କୌଣସି ଅନ୍ୟ ଖେଳାଳିଙ୍କ ଉପରେ ପ୍ରଭାବ ପଡିନାହିଁ । ଏହା ପୂର୍ବରୁ ମଧ୍ୟ ଆଇସିସି ଟିମ୍ ମାନ୍ୟତାରେ ଗଡବଡ କରିଥିଲା ।