ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ରୁ ଖେଳାଯିବାକୁ ଥିବା ୨୦୨୫ ଏସିଆ କପ୍ ପାଇଁ ବିସିସିଆଇ ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି। ଆଶା ଅନୁଯାୟୀ ଅନେକ ଖେଳାଳି ଦଳକୁ ଫେରିଥିବା ବେଳେ କିଛି ଖେଳାଳିଙ୍କୁ ବଡ଼ ଝଟକା ଲାଗିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଦଳକୁ ଶୁଭମନ ଗିଲ୍ ଉପ-ଅଧିନାୟକ ଭାବରେ ଟି-୨୦ ଦଳକୁ ଫେରିଛନ୍ତି। ଜିତେଶ ଶର୍ମା ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷେ ଶ୍ରେୟସ ଆୟର, ଯଶସ୍ୱୀ ଜୟସୱାଲ, ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ କେଏଲ ରାହୁଲଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିନାହିଁ।
ରାହୁଲ, ଜୟସୱାଲ ଏବଂ ଶ୍ରେୟସ ଆୟରଙ୍କୁ ଝଟକା
କେଏଲ ରାହୁଲ ଏବଂ ଶ୍ରେୟସ ଆୟର ଆଇପିଏଲ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଆୟର ୬୦୦ରୁ ଅଧିକ ରନ୍ କରିଥିଲେ। ରାହୁଲ ମଧ୍ୟ ତାଙ୍କ ବ୍ୟାଟ୍ ଜରିଆରେ ଦମଦାର ପ୍ରଦର୍ଶନ କରିଥିଲେ। ଯଶସ୍ୱୀ ଜୟସୱାଲ ଆଶା ଅନୁଯାୟୀ ଦ୍ରୁତ ଗତିରେ ରନ କରିଛନ୍ତି। ଏହି ତିନି ଜଣ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ଥିଲେ ହେଁ ନିରାଶ ହେବାକୁ ପଡ଼ିଛି। ସେହିପରି, ଇଂଲଣ୍ଡ ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ୍ ନେଇଥିବା ମହମ୍ମଦ ସିରାଜଙ୍କୁ ମଧ୍ୟ ଟି-୨୦ ଦଳରେ ସାମିଲ କରାଯାଇ ନାହିଁ।
ଶୁଭମନ ଗିଲ୍ ଏବଂ ଜିତେଶ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ
ଆଇପିଏଲ୍ ୨୦୨୫ରେ ୬୫୦ ରନ କରିଥିବା ଭାରତର ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍ଙ୍କୁ ଉପ-ଅଧିନାୟକ କରାଯାଇଛି। ଏହାର ଅର୍ଥ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ। ଏହା ବ୍ୟତୀତ, ଆଇପିଏଲ୍ ୨୦୨୫ରେ ଫିନିଶର୍ ଭାବରେ ଭୂମିକା ନିଭାଇଥିବା ୱିକେଟ୍ କିପର ବ୍ୟାଟର ଜିତେଶ ଶର୍ମାଙ୍କୁ ମଧ୍ୟ ଏସିଆ କପର ୧୫ ଜଣିଆ ଦଳରେ ସ୍ଥାନ ମିଳିଛି।
୪ ଅଲରାଉଣ୍ଡର ଏବଂ ୩ ଦ୍ରୁତ ବୋଲର
ଏସିଆ କପରେ ୟୁଏଇର ପାଣିପାଗ ଏବଂ ପିଚକୁ ଦୃଷ୍ଟିରେ ରଖି ୧୫ ଜଣିଆ ଦଳରେ ୪ ଅଲରାଉଣ୍ଡର ଏବଂ ୩ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ ଦଳ ଅନେକ ସ୍ପିନରଙ୍କୁ ସାମିଲ କରାଯାଇଛି। ବ୍ୟାଟିଂ ବିଭାଗରେ ସୁର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ, ଅଭିଷେକ ଶର୍ମା, ତିଲକ ବର୍ମା, ରିଙ୍କୁ ସିଂ, ଶିବମ ଦୁବେ ଏବଂ ଜିତେଶ ଶର୍ମାଙ୍କ ପରି ଖେଳାଳି ରହିଛନ୍ତି।
୨୦୨୫ ଏସିଆ କପ୍ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତ, ହର୍ଷିତ ରାଣା ଏବଂ ରିଙ୍କୁ ସିଂ |