ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ଗୋଟିଏ ଦିନରେ ଦୁଇଟି ଧମାକା କରିବାକୁ ଯାଉଛି । ବୋର୍ଡ ମଙ୍ଗଳବାର ପୁରୁଷ ଏସିଆ କପ୍ ୨୦୨୫ ଏବଂ ମହିଳା ଦିନିକିଆ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିବ । ଦୁଇ ଦଳର ଘୋଷଣା ସାମ୍ବାଦିକ ସମ୍ମିଳନୀରେ ହିଁ କରାଯିବ । ଉଭୟ ଦଳ ଘୋଷଣାର ସମୟ ଅଲଗା ଅଲଗା ରହିବ । ଏସିଆ କପ୍ ସେପ୍ଟେମ୍ବର ୯ରୁ ୟୁଏଇରେ ଟି-୨୦ ଫର୍ମାଟରେ ଖେଳାଯିବ । ଅନ୍ୟପଟେ ମହିଳା ବିଶ୍ୱକପ୍ ସେପ୍ଟେମ୍ବର ୩୦ରେ ଭାରତରେ ଆୟୋଜିତ ହେଉଛି ।
ପୁରୁଷ ଏସିଆ କପ୍ ପାଇଁ ଭାରତୀୟ ଦଳର ଚୟନ ପାଇଁ ଜାତୀୟ ଚୟନକର୍ତ୍ତା କମିଟି ଅଗଷ୍ଟ ୧୯ରେ ମୁମ୍ବାଇ ସ୍ଥିତ ବିସିସିଆଇ ମୁଖ୍ୟାଳୟରେ ବୈଠକ ହେବ । ଏହା ପରେ ଅପରାହ୍ଣ ୧ଟା ୩୦ରେ ସାମ୍ବାଦିକ ସମ୍ମିଳନୀ ହେବ, ଯେଉଁଥିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଉପସ୍ଥିତ ରହିବାର ସମ୍ଭାବନା ରହିଛି । କୁହାଯାଉଛି ଦଳର ଚୟନ ସାଧାରଣ ଆଶାଠୁ ବ୍ୟତିରକ ହୋଇପାରେ । ଇଂଲଣ୍ଡ ଗସ୍ତରେ ଦମଦାର ପ୍ରଦର୍ଶନ କରିଥିବା ତାରକା ବ୍ୟାଟର ଶୁଭମନ ଗିଲ୍ ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଏସିଆ କପରେ ସ୍ଥାନ ମିଳିବା ମୁସ୍କିଲ ଲାଗୁଛି ।
ଚୟନକର୍ତ୍ତା ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ଓପନିଂ ଯୋଡି ଚୟନ କରିବାର ଅଧିକ ଆଶା ରହିଛି । ତୃତୀୟ ବ୍ୟାଟର ପାଇଁ ଗିଲଙ୍କ ନାଁ ଉପରେ ଆଲୋଚନା ହୋଇପାରେ । କିନ୍ତୁ ଯଶସ୍ୱୀ ଜୟସ୍ୱାଲ ଏହି ସ୍ଥାନ ପାଇଁ ମଜବୁତ ଦାବିଦାର । ହେଲେ ତିଳକ ବର୍ମା ଥାଉ ଥାଉ ଏହି ସ୍ଥାନ ପାଇଁ ଅନ୍ୟ କାହାକୁ ଦଳରେ ସ୍ଥାନ ମିଳିବାର ସମ୍ଭାବନା କମ ରହିଛି । ଅଲରାଉଣ୍ଡର ଶିବମ ଦୁବେ ଓ ୱାଶିଂଟନ ସୁନ୍ଦର ମଧ୍ୟ ଦଳରେ ସ୍ଥାନ ପାଇବା ପାଇଁ ଦାବିଦାର ଅଛନ୍ତି । ଜିତେଶ ଶର୍ମାଙ୍କୁ ଦ୍ୱିତୀୟ ୱିକେଟ୍ ଭାବେ ସ୍ଥାନ ମିଳିପାରେ ।
ଅନ୍ୟପଟେ ଦିନିକିଆ ବିଶ୍ୱକପ୍ ୨୦୨୫ ପାଇଁ ଭାରତୀୟ କ୍ରିକେଟ୍ ଦଳର ଘୋଷଣା ମଙ୍ଗଳବାର ଅପରାହ୍ଣ ୩ଟା ୩୦ରେ ହେବ । ଚୟନ ବୈଠକ ପରେ ଅଧିନାୟକ ହରମନପ୍ରୀତ କୌର ଓ ମହିଳା ଚୟନ କମିଟି ଅଧ୍ୟକ୍ଷ ନୀତୁ ଡେଭିଡ ସାମ୍ବାଦିକ ସମ୍ମିଳନୀ କରିବେ ।