ନୂଆଦିଲ୍ଲୀ: ଆଗାମୀ ତ୍ରିକୋଣୀୟ ସିରିଜ ଏବଂ ଏସିଆ କପ୍ ୨୦୨୫ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ନିଜର ଦଳ ଘୋଷଣା କରିଛି । ସଲମାନ ଆଗାଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି । ନୂଆ ହେଡ୍ କୋଚ୍ ମାଇକ ହେସନଙ୍କ ସମୟରେ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ଅଣଦେଖା କରାଯାଇଛି । ଏହି ଦୁଇ ଖେଳାଳିଙ୍କୁ ଟି-୨୦ ଦଳରେ ସାମିଲ କରାଯାଇ ନାହିଁ । ଉଲ୍ଲେଖନୀୟ ପାକିସ୍ତାନ, ୟୁଏଇ ଓ ଆଫଗାନିସ୍ତାନ ମଧ୍ୟରେ ଅଗଷ୍ଟ ୨୯ରୁ ତ୍ରିକୋଣୀୟ ସିରିଜ୍ ଖେଳାଯିବ । ଏହା ପରେ ସବୁ ଦଳ ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଥିବା ଏସିଆ କପରେ ଭାଗ ନେବେ ।
ପାକିସ୍ତାନର ଟି-୨୦ ଦଳରେ ବାବର ଏବଂ ରିଜୱାନଙ୍କ ପ୍ରତି ଅଣଦେଖା ଦେଖା ଜାରି ରହିଛି । ମାତ୍ର ଯେଉଁ ବରିଷ୍ଠ ଖେଳାଳିଙ୍କ ଉପରେ ଚୟନକର୍ତ୍ତା ଏବଂ ଦଳ ପ୍ରବନ୍ଧକ ଭରସା କରିଛନ୍ତି, ସେମାନଙ୍କ ମଧ୍ୟରେ ଦ୍ରୁତ ବୋଲର ଶାହୀନ ଆଫ୍ରିଦି, ହାରିସ ରଉଫ, ଫଖର ଜମାନ ଓ ଖୁସଦିଲ ଶାହ ସାମିଲ । ଷ୍ଟାର ୱିକେଟ୍ କିପର ମହମ୍ମଦ ହାରିସ ମଧ୍ୟ ନିଜର ସ୍ଥାନ ବଜାୟ ରଖି ପାରିଛନ୍ତି । ଚୟନକର୍ତ୍ତା ହସନ ନୱାଜ, ସଲମାନ ମିର୍ଜା ଓ ସୁଫୟାନ ମୋକିମଙ୍କ ପରି ଯୁବ ଖେଳାଳିଙ୍କ ଉପରେ ଭରସା ପ୍ରକଟ କରିଛନ୍ତି ।
୩୧ ବର୍ଷୀୟ ସଲମାନ ମିର୍ଜାଙ୍କୁ ବାଂଲାଦେଶରେ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କାରଣରୁ ଦଳରେ ରଖାଯାଇଛି । ପାକିସ୍ତାନର ଦିନିକିଆ ଓ ଟି-୨୦ ଦଳର ମୁଖ୍ୟ କୋଚ୍ ମାଇକ ହେସନ ଦଳ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଦର୍ଶନ ଆଧାରରେ ଦଳ ଚୟନ କରାଯ।।ଇଛି ।
ଏସିଆ କପ୍ ୨୦୨୫ରେ ପାକିସ୍ତାନ ଗ୍ରୁପ ଏରେ ଭାରତ, ଓମାନ ଓ ୟୁଏଇ ସହ ରହିଛି । ପାକିସ୍ତାନ ନିଜର ଅଭିଯାନ ସେପ୍ଟେମ୍ବର ୧୨ରେ ଓମାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ । ଏହା ପରେ ସେପ୍ଟେମ୍ବର ୧୪ରେ ଭାରତ ବିରୋଧରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳିବ । ତେବେ ଏହି ମ୍ୟାଚ୍ ହେବ କି ନାହିଁ ତାହା ସମୟ ହିଁ କହିବ ।
ପାକିସ୍ତାନର ଏସିଆ କପ୍ ୨୦୨୫ ଟିମ୍
ସଲମାନ ଅଲୀ ଆଗା(ଅଧିନାୟକ), ଅବରାର ଅହମ୍ମଦ, ଫହୀମ ଅଶରଫ, ଫଖର ଜମାନ, ହାରିସ ରଉଫ, ହସନ ଅଲ୍ଲୀ, ହସନ ନୱାଜ, ହୁସେନ ତଲନ, ଖୁଶଦିଲ ଶାହ, ମହମ୍ମଦ ହାରିସ(ୱିକେଟ୍ କିପର), ମହମ୍ମଦ ନୱାଜ, ମହମ୍ମଦ ୱାସିମ ଜୁନିୟର, ସାହିବଜାଦା ଫରହାନ, ସଇମ ଆୟୁବ, ସଲମାନ ମିର୍ଜା, ଶାହିନ ଶାହ ଆଫ୍ରିଦି ଓ ସୁଫିୟାନ ମୁକିମ ।