ନୂଆଦିଲ୍ଲୀ: କଣ ରୋହିତ ଶର୍ମା ଓ ବିରାଟ କେହାଲି ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି ? ଏକ ସଦ୍ୟତମ ରିପୋର୍ଟ ଆସିବା ପରେ ଏହି ପ୍ରଶ୍ନ ଏବେ ସଭିଙ୍କ ମନରେ ଉଙ୍କି ମାରିଛି । ଦୁଇ ବରିଷ୍ଠ ଖେଳାଳି ତିନି ଫର୍ମାଟରେ ଭାରତୀୟ ଦଳର ନେତୃତ୍ୱ ନେଇ ସାରିଛନ୍ତି । ଉବୟ କେବଳ ଏବେ ଦିନିକିଆ ଖେଳୁଛନ୍ତି । ଟେଷ୍ଟ ପରେ ଏବେ ଦିନିକିଆ ଦଳର ନେତୃତ୍ୱ କୌଣସି ଜଣେ ଯୁବ ଖେଳାଳିଙ୍କୁ ମିଳିପାରେ । ଏହା ସହ ରୋହିତ-କୋହଲିଙ୍କ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଭାଙ୍ଗିପାରେ ।
ରୋହିତ ଓ ବିରାଟ ଟି-୨୦ ବିଶ୍ୱକପ୍ ଜିତିବା ପରେ ଏକ ସଙ୍ଗେ ଏହି ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଏହା ପରେ ଇଂଲଣ୍ଡ ଗସ୍ତ ପୂର୍ବରୁ ରୋହିତ ଓ କୋହଲି ଏକ ସପ୍ତାହ ଭିତରେ ଟେଷ୍ଟରୁ ମଧ୍ୟ ଅବସର ନେଇଥିଲେ । ଭାରତର ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ ରହିଛି, ଯାହା ଟି-୨୦ ଫର୍ମାଟରେ ଖେଳାଯିବ । ଭାରତର ପରବର୍ତ୍ତୀ ଦିନିକିଆ ସିରିଜ୍ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି, ଯାହା ଅକ୍ଟୋବରରେ ଖେଳାଯିବ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସିରିଜ୍ ଦୁଇ ତାରକା ଖେଳାଳିଙ୍କ ପାଇଁ ଶେଷ ଦିନିକିଆ ସିରିଜ୍ ହୋଇପାରେ ।
ମିଡିଆ ରିପୋର୍ଟ ଅନୁଯାୟୀ, ଯଦି ରୋହିତ ଓ ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତ ପରେ ଖେଳିବାକୁ ଚାହାନ୍ତି ତେବେ ସେମାନଙ୍କୁ ବିଜୟ ହଜାରେ ଟ୍ରଫି ଖେଳିବାକୁ ପଡିପାରେ । ଏହି ଟ୍ରଫି ଡିସେମ୍ବରରେ ଆରମ୍ଭ ହେବ । ଉଲ୍ଲେଖନୀୟ ଦୁହେଁ ଚଳିତ ବର୍ଷ ଆରମ୍ଭରେ ରଣଜୀ ଟ୍ରଫିର କିଛି ମ୍ୟାଚ୍ ଖେଳିଥିଲେ । କାରଣ ଟେଷ୍ଟରେ ଖରାପ ପ୍ରଦର୍ଶନ କରିବା ପରେ ବିସିସିଆଇ ନିଷ୍ପତ୍ତି ନେଇଥିଲା ଯେ, ବିନା କୌଣସି ଠୋସ୍ କାରଣରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁ ନ ଥିବା ଖେଳାଳିଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡିବ ।
ରିପୋର୍ଟ ଅନୁଯାୟୀ, ଏହି ଦୁଇ କିମ୍ବଦନ୍ତୀ ଖେଳାଳି ଭାରତୀୟ କ୍ରିକେଟକୁ ବହୁତ କିଛି ଦେଇଛନ୍ତି । ମାତ୍ର ଏବେ ଯୁବ ଖେଳାଳିଙ୍କ ଲମ୍ବା ଧାଡି ରହିଛି ଏବଂ ଚୟନକର୍ତ୍ତା ଓ ଦଳ ପ୍ରବନ୍ଧକ ୨୦୨୭ ବିଶ୍ୱକପକୁ ଦୃଷ୍ଟିରେ ରଖି ଦଳ ପ୍ରସ୍ତୁତ କରିବେ । ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ରୋହିତ ଓ କୋହଲି ଆଗାମୀ ବିଶ୍ୱ କପ୍ ଦଳ ପାଇଁ ଆମ ରଣନୀତିରେ ଫିଟ୍ ରହିବେ ନାହିଁ । ତେଣୁ ଏହାର ସମ୍ଭାବନା ଅଧିକ ଯେ, ଆଗାମୀ ଦିନିକିଆ ବିଶ୍ୱକପ୍ ୨୦୨୭ରେ ରୋହିତ ଓ କୋହଲିଙ୍କ ଦେଖିବାକୁ ମିଳି ନ ପାରେ ।