ମୁମ୍ବାଇ: ଭାରତୀୟ କ୍ରିକେଟ୍ର ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି। ଅର୍ଜୁନଙ୍କ ନିର୍ବନ୍ଧ ମୁମ୍ବାଇର ବ୍ୟବସାୟୀ ରବି ଘାଇଙ୍କ ନାତୁଣି ସାନିଆ ଚଣ୍ଡୋକଙ୍କ ସହ ହୋଇଛି। ଅର୍ଜୁନ ଘରୋଇ କ୍ରିକେଟ୍ରେ ଗୋଆର ପ୍ରତିନିଧିତ୍ଵ କରୁଥିବା ବେଳେ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ତେବେ ଦୁଇ ପରିବାର ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଏକ ବ୍ୟକ୍ତିଗତ ସମାରୋହରେ ଅର୍ଜୁନ ଓ ସାନିଆଙ୍କ ନିର୍ବନ୍ଧ ହୋଇଛି। ସାନିଆ ଚଣ୍ଡୋକଙ୍କ ବିଷୟରେ କହିଲେ ତାଙ୍କ ପରିବାର ମୁମ୍ବାଇର ଏକ ବଡ଼ ତଥା ପ୍ରସିଦ୍ଧ ବ୍ୟବସାୟୀ ପରିବାର। ତାଙ୍କ ପରିବାର ଇଣ୍ଟରକଣ୍ଟିନେଣ୍ଟାଲ ମେରାଇନ ଡ୍ରାଇଭ ହୋଟେଲ୍ ଓ ବ୍ରୁକଲିନ କ୍ରିମରୀ ଆଇସକ୍ରିମ ବ୍ରାଣ୍ଡର ମାଲିକ।
ଅର୍ଜୁନ ତେନ୍ଦୁଲକର ନିଜର ଘରୋଇ କ୍ୟାରିୟର ଆରମ୍ଭ ୨୦୨୦/୨୧ରେ ମୁମ୍ଵାଇ ପକ୍ଷରୁ କରିଥିଲେ। ସେ ଏକ ଟି-୨୦ ମ୍ୟାଚ୍ରେ ହରିୟାଣା ବିପକ୍ଷରେ ପେଶାଦାର କ୍ରିକେଟ୍ରେ ପଦାର୍ପଣ କରିଥିଲେ। ଏହା ପୂର୍ବରୁ ଅର୍ଜୁନ ଜୁନିୟରସ୍ତରରେ ମୁମ୍ବାଇର ପ୍ରତିନିଧିତ୍ଵ କରିଥିଲେ। ସେ ଭାରତର ୧୯ ବର୍ଷରୁ କମ ଦଳରେ ସ୍ଥାନ ପାଇଥିଲେ। ସେ ୨୦୨୨/୨୩ ସିଜିନରେ ଗୋଆ ଦଳରେ ଯୋଗ ଦେଇ ସେଠାରେ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ ଏ କ୍ରିକେଟ୍ରେ ପଦାର୍ପଣ କରିଥିଲେ।
ତେବେ ଆଇପିଏଲ୍ ୨୦୨୫ ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ନିରାଶଜନକ ରହିଥିଲା। କାରଣ ପୂରା ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଗୋଟିଏ ହେଲେ ମ୍ୟାଚ୍ରେ ଖେଳିବାର ସୁଯୋଗ ମିଳି ନ ଥିଲା। ମୁମ୍ବାଇ ଇଣ୍ଡିଆନ୍ସ ମେଗା ନିଲାମରେ ତାଙ୍କୁ ୩୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। ହେଲେ ଦଳ ପ୍ରବନ୍ଧକ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇ ନ ଥିଲେ। ଏହି କାରଣରୁ ପୂରା ସିଜିନରେ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିଥିଲା।