ରାୟଗଡ଼ା : ଗୁଣିଆ ସନ୍ଦେହରେ ପୁଣି ଆଉ ଗୋଟିଏ ମୁଣ୍ଡ ଗଡିଛି।ରାୟଗଡା ଜିଲ୍ଲାର ବଡ ଆଲୁବାଡୀ ପଞ୍ଚାୟତ ଅନ୍ତର୍ଗତ ଗୁରୁସୁ ବାଡ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି। ଗୁଣିଆ ସନ୍ଦେହରେ ଗାଁ ର ରାମାରାଓ ଜିଲକାରା ଙ୍କୁ ଗ୍ରାମବାସୀ ସଂଘବଦ୍ଧ ଭାବେ ବିଷ ପିଆଇ ହତ୍ୟା କରିଛନ୍ତି। ଏହି ଘଟଣା ନେଇ ଗାଁ ରେ ତାଟି କବାଟ ପଡ଼ି ଯାଇଛି। ପୋଲିସ ୧୩ ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗାଁ ର ରାମାରାଓ ଜିଲକାରାଙ୍କୁ ଗୁଣିଆ କରି ଗାଁ ରେ ଅଶାନ୍ତି ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଗାଁ ରେ ବୈଠକ କରି ତାଙ୍କୁ ଜୀବନରେ ମାରିଦେବା ପାଇଁ ନିଷ୍ପତ୍ତି ନିଆଗଲା । ତାଙ୍କ ସମ୍ପର୍କୀୟଙ୍କୁ ଗାଁ ରୁ ବିଦା କରିଦେଇ ତାଙ୍କୁ ବିଦ୍ୟୁତ୍ ଖମ୍ବରେ ବାନ୍ଧିଦେଇଥିଲେ। ପରେ ତାଙ୍କୁ ବିଷ ପିଆଇ ହତ୍ୟା କରି ପୋଡ଼ି ଦେଇଥିଲେ ଗ୍ରାମବାସୀ ।
ସୂଚନା ଅନୁଯାୟୀ ଏଥି ପୂର୍ବରୁ ରାମାରାଓ ଙ୍କ ବାପା ଙ୍କୁ ମଧ୍ୟ ଗ୍ରାମବାସୀ ଗୁଣିଆ ସନ୍ଦେହରେ ହତ୍ୟା କରିଥିଲେ । ୨୦୨୩ ମସିହାରେ ମଧ୍ୟ ଏହି ବିବାଦ ନେଇ ଶେଷ ଖାଲ ଥାନାରେ ଅଭିଯୋଗ ହୋଇଥିଲା। ମୃତ ରାମାରାଓ ଓ ଗ୍ରାମବାସୀ ଙ୍କ ଭିତରେ ବୁଝାମଣା ବି ହୋଇଥିଲା। ତେବେ ଗତ ଶୁକ୍ରବାର ଦିନ ଗ୍ରାମବାସୀ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ନେଇ ରାମାରାଓ ଙ୍କ ଭାଇ ଶେଷଖାଲ ଥାନା ରେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ର ତଦନ୍ତ କରି ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୨ଜଣଙ୍କୁ ଅଟକ ରଖିଛି। ଉକ୍ତ ଘଟଣାରେ କେହି ମୁହଁ ଖୋଲିବାକୁ ନାରାଜ ହେଉଥିବା ବେଳେ ଏଭଳି ଅନ୍ଧ ବିଶ୍ୱାସ ଯୋଗୁଁ ବାରମ୍ବାର ନିରୀହ ଆଦିବାସୀର ଜୀବନ ଯାଉଥିବା ଜିଲ୍ଲାରେ ଏକଚିନ୍ତାର କାରଣ ହୋଇଛି। ତେଣୁ ପ୍ରଶାସନ ତରଫରୁ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନତାର ଆବଶ୍ୟକତା ରହିଛି ।