ବଲାଙ୍ଗିର : ଘରକୁ ଫେରିଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପୋଲିସ ହାବିଲଦାର ଜୟନ୍ତୀ ସୁନା । ଧୂମଧାମରେ ସ୍ବାଗତ କଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ବାସୀ । ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିବା ହାବିଲଦାର୍ ଜୟନ୍ତୀ ସୁନା ଭୁବନେଶ୍ୱରରୁ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ବଲାଙ୍ଗିର ରେଳ ଷ୍ଟେସନ ରେ ପହଞ୍ଚିବା ପରେ ବଲାଙ୍ଗିର ପୋଲିସ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ଏହାପରେ ସେ ତାଙ୍କର ପୈତୃକ ଗ୍ରାମ ପାଟଣାଗଡ଼ କୁ ଯାଇଥିଲେ । ପାଟଣାଗଡ଼ ସହରରେ ଏହା ବିଶାଳ ସ୍ବାଗତ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ନୃତ୍ୟ ଗୀତର ତାଳେ ତାଳେ ପାଟଣାଗଡ଼ ସହରରେ ଶୋଭାଯାତ୍ରା କରି ତାଙ୍କୁ ପାଛୋଟି ନିଆଯାଇଥିଲା ।
ପ୍ରକାଶ ଯେ ଜୟନ୍ତୀ ସୁନା ବଲାଙ୍ଗିର ପୋଲିସ ବିଭାଗରେ ହାବିଲଦାର ଭାବରେ କାର୍ଯ୍ୟରତ ଅଛନ୍ତି । ଟ୍ରାଫିକ ସେବା, ପୋଲିସ ସେବା ସହିତ କର୍ତ୍ତବ୍ୟ ସମୟରେ ମାନବିକତାର ଉଦାହରଣ ଦେଇ ଜୟନ୍ତୀ ଚର୍ଚ୍ଚାକୁ ଆସିଥିଲେ । ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ମାନଙ୍କୁ ନିଜେ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ସହିତ ଗରିବ ଅସହାୟ ମାନଙ୍କୁ ସାହାଯ୍ୟ କରୁଥିଲେ । ଏଭଳି ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପାଇବା ପରେ ସାରା ବଲାଙ୍ଗିର ସହର ତଥା ପାଟଣାଗଡରେ ଖୁସିର ଲହରୀ ଖେଳି ଯାଇଛି ।