ସମ୍ବଲପୁର: ନିର୍ଦ୍ଧାରଣ ହେଲା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ । ଆସନ୍ତା ଅଗଷ୍ଟ ୨୮ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ଗୁରୁବାର ସକାଳ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଶୁଭ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି କରାଯିବ। ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।
ପରମ୍ପରା ଅନୁସାରେ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ତିଥିରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମଣ୍ଡଳୀ ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ପ୍ରଥମେ ବିଦ୍ବାନ, ପଣ୍ଡିତ ପହଂଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଛନ୍ତି । ଏହା ପରେ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି। ପଣ୍ଡିତ ମଣ୍ଡଳୀ ପାଂଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କଠାରେ ଲଗ୍ନପତ୍ର ପ୍ରଦାନ କରିବେ। ଲଗ୍ନ ଅନୁସାରେ ପ୍ରଥମେ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ ।