ସମ୍ବଲପୁର: ପାଖେଇ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିଲାଗି ଆଜି ବାହାରିବ ଲଗ୍ନ । ଦିନ ୪ଟା ୩୦ରେ ଲଗ୍ନ ନିର୍ଦ୍ଧାରଣ ହେବ । ପରମ୍ପରା ଅନୁସାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦତ୍ସୋବ ଦିନ ସମ୍ବଲପୁର ଝାଡୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତମଣ୍ଡଳୀ ସଭା ଆୟୋଜନ କରାଯାଏ । ଏହିଠାରେ ନୂଆଁଖାଇ ଲଗ୍ନଧାର୍ଯ୍ୟ କରାଯାଇଥାଏ । ଏଥିପାଇଁ ଅଞ୍ଚଳର ଜଣାଶୁଣା ୨୦ ଜଣ ପଣ୍ଡିତଙ୍କୁ ନିମନ୍ତ୍ରଣ କରାଯାଇଛି । ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା ସମଲେଇଙ୍କ ମନ୍ଦିର ଯାଇ ମାଙ୍କ ନିକଟରେ ଲଗ୍ନପତ୍ର ଅର୍ପଣ କରିଥାନ୍ତି । ତେବେ ଧାର୍ଯ୍ୟ ଲଗ୍ନ ଅନୁଯାୟୀ ମା ସମଲେଇଙ୍କଠାରେ ନବାନ୍ନ ଅର୍ପଣ କରିବା ପରେ ପଶ୍ଚିମ ଓଡିଶାରେ ନୂଆଁଖାଇ ପର୍ବ ପାଳିତ ହୁଏ।