ଭୁୁବନେଶ୍ୱର: ବାଲିପାଟଣାରେ ଯୁବକଙ୍କୁ ପେଟ୍ରୋଲ ଢାଳି ମାରିଦେବା ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି । ପୋଲିସ ଗିରଫ କରିଥିବା ତିନି ଅଭିଯୁକ୍ତ ହେଉଛନ୍ତି ବାପା, ସାବତ ମାଆ ଓ ସାବତ ଭାଇ । ପ୍ରେସମିଟ୍ ଜରିଆରେ ଶନିବାର ଜୋନ୍ ୪ ଏସିପି ଅଭିମନ୍ୟୁ ନାୟକ ଏହି ସୂଚନା ଦେଇଛନ୍ତି ।
ଏସିପି କହିଛନ୍ତି, ସାଇଣ୍ଟିଫିକ ଟିମ୍ ତଦନ୍ତ କରିଛି ଏବଂ ପ୍ରମାଣ ମିଳିବା ପରେ ଏହି ତିନି ଅଭିଯୁକ୍ତଙ୍କୁ ଆମେ ଗିରଫ କରିଛୁ । ଏହା ହତ୍ୟା ଭଳି ଲାଗୁଛି, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବୁ ଏବଂ ଦରକାର ପଡିଲେ ରିମାଣ୍ଡରେ ଆଣିବୁ । ମୃତ୍ୟୁ ପୂର୍ବରୁ ବଡ ପୁଅ ବାପା, ସାବତ ମାଆ ଓ ସାବତ ଭାଇଙ୍କ ନାଁ ନେଇଥିଲା । ଜମିବାଡି ବିବାଦକୁ ନେଇ ଏହି ଘଟଣା ଘଟିଥିବା ଏସିପି ଅଭିମନ୍ୟୁ ନାୟକ କହିଛନ୍ତି ।
ଅନ୍ୟପଟେ ମୃତ ଯୁବକଙ୍କ ପତ୍ନୀ ନିର୍ଯାତନାର କାହାଣୀ ବଖାଣିଛନ୍ତି । ସେ କହିଛନ୍ତି, ସାବତ ମାଆ, ଶ୍ୱଶୁର, ଦିଅର, ଯାଆ ସମସ୍ତେ ମିଶି ମାରି ଦେଲେ । ଏହା ପଛରେ ଆଉ କିଛି ଲୋକଙ୍କ ମଧ୍ୟ ଭୂମିକା ରହିଛି । ସଂପତ୍ତି ପାଇଁ ଆମକୁ ପୂର୍ବରୁ ଘରୁ ବାହାର କରି ଦେଇଥିଲେ । ଯେଉଁମାନେ ଏଥିରେ ସଂପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ ।
ସୂଚନାଯୋଗ୍ୟ, ଶୁକ୍ରବାର ଜ୍ୟୋତି ଘରେ ଥିବା ବେଳେ ତାଙ୍କ ସାବତ ଭାଇ ପ୍ରଶାନ୍ତ ମାଠିଆ ଏବଂ ବାପା ସୁରେନ୍ଦ୍ର ମାଠିଆ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସ୍ୱାମୀ ଜଳୁଥିବା ଦେଖି ପତ୍ନୀ ଚିତ୍କାର କରି ଲୋକଙ୍କୁ ଡାକିଥିଲେ । ସ୍ଥାନୀୟ ଲୋକେ ଏବଂ ପୋଲିସ ପ୍ରଥମେ ଜ୍ୟୋତିଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ପୁଣି ଏମ୍ସ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଭୋର ସକାଳେ ଜ୍ୟୋତିଙ୍କ ମୃତ୍ୟୁ ଘଟିଛି । ତାଙ୍କ ଶରୀରର ଶତ ପ୍ରତିଶତ ଅଂଶ ପୋଡି ଯାଇଥିବା ଡାକ୍ତର କହିଛନ୍ତି ।