କଟକ: ରଘୁନାଥ ସାସ୍ମଲ ଓରଫ ରଘୁ ମଉସାଙ୍କ ଦେହାନ୍ତ । କଟକର ପ୍ରସିଦ୍ଧ ରଘୁ ଦହିବରା ନା ରେ ପରିଚିତ ଥିଲେ ରଘୁନାଥ । ୯୧ ବର୍ଷ ବୟସରେ ବିଡାନାସୀ ସ୍ଥିତ ବାସଭବନରେ ପରଲୋକ। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ରଘୁନାଥ। କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି । ବିଶେଷ କରି ବିଡ଼ାନାସୀର ରଘୁ ଦହିବରା-ଆଳୁଦମ ଏକ ପରିଚିତ ଦହିବରା ବ୍ୟବସାୟୀ। କଟକର ବିଡ଼ାନାସୀଠାରେ ରଘୁନାଥ ସାସମଲଙ୍କ ଉଠା ଦହିବରା ଆଳୁଦମ ଦୋକାନଟିଏ ରହିଛି । ଏହା ରଘୁ ଦହିବରା-ଆଳୁଦମ ନାମରେ ପରିଚିତ। ପ୍ରାୟ ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି, ଏହି ବ୍ୟବସାୟରେ ଅଛନ୍ତି । ତାଙ୍କୁ ପନ୍ଦର ବର୍ଷ ହେଲା ବେଳଠୁ, ସେ ଦହିବରା ବେପାର କରିଆସୁଛନ୍ତି ।
ବିଡ଼ାନାସୀ ଛକରେ ରଘୁ ସନ୍ଧ୍ୟା ୫.୩୦ ବେଳକୁ ଦହିବରା ଆଳୁଦମ ଏକ ଟ୍ରଲିରେ ଧରି ପହଞ୍ଚନ୍ତି । ସେ ଆସିବା ଆଗରୁ ଗ୍ରାହକମାନେ ତାଙ୍କୁ ଅପେକ୍ଷା କରି ରହିଥାନ୍ତି । ସବୁଦିନ ସେ ପ୍ରାୟ ୨୦୦ ଜଣଙ୍କ ପାଇଁ ଦହିବରା ପ୍ରସ୍ତୁତ କରିଥାନ୍ତି । ଶନିବାର, ରବିବାର ଓ ଛୁଟିଦିନରେ ଅଧିକ ୫୦ ଲୋକଙ୍କ ପାଇଁ ଦହିବରା ପ୍ରସ୍ତୁତ କରନ୍ତି । କଞ୍ଚା ଶାଳପତ୍ର ଠୁଙ୍ଗାରେ ଦହିବରା ଆଳୁଦମ ପରସା ଯାଏ । ଦହିବରା ଖାଇସାରିବା ପରେ ସେହି ଠୁଙ୍ଗାରେ ଦହିପାଣି ପିଇବାକୁ ଦିଆଯାଏ । ଖାଇସାରିବା ପରେ ପେଡ଼ାର ମଧ୍ୟ ବ୍ୟବସ୍ଥା ଥାଏ । ଏକ ଘଣ୍ଟା ମଧ୍ୟରେ ତାଙ୍କର ସବୁ ଦହିବରା ବିକ୍ରି ହୋଇଯାଏ । ରଘୁଙ୍କ ବେପାରକୁ ବଡ଼ପୁଅ କେଦାରନାଥ ଏବେ ସମ୍ଭାଳୁଛନ୍ତି। ଦହିବରା ପ୍ରସ୍ତୁତିରେ ତାଙ୍କର ପୁରା ପରିବାର ସହଯୋଗ କରନ୍ତି । ବିକ୍ରିବଟାରେ ପୁଅ ପୁତୁରା ମାନେ ମଧ୍ୟ ସହଯୋଗ କରନ୍ତି । ରଘୁ ଙ୍କ ଶେଷ ଦର୍ଶନ ପାଇଁ ରଘୁ ଙ୍କ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଁଞ୍ଚିଥିଲେ।ମେୟର ସୁବାସ ସିଂ , ବିଧାୟିକା ସୋଫିଆ ଫିର୍ଦୋଷ , ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଛନ୍ତି।