ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର। ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫିଟନେସ୍ ପରୀକ୍ଷାରେ ପାସ୍ କରିଛନ୍ତି। ସେ ୨୦୨୫ ଏସିଆ କପ୍ ଖେଳିବାକୁ ପ୍ରସ୍ତୁତ। କିଛି ସମୟ ପୂର୍ବରୁ ସୂର୍ଯ୍ୟଙ୍କ ସ୍ପୋର୍ଟସ୍ ହାର୍ନିଆ ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ସେବେଠାରୁ ସେ ପୁନର୍ବାସ ଦେଇ ଗତି କରୁଥିଲେ। ଆଉ ଆଜି ସେ ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସୂର୍ଯ୍ୟ ଫିଟ୍ ହେବା ପରେ ଭାରତର ଏସିଆ କପ୍ ଦଳ ଚୟନ ପାଇଁ ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ବୈଠକ ବସିବ। ତେବେ ଏହି ବୈଠକ ପୂର୍ବରୁ, ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବେଙ୍ଗାଲୁରୁର 'ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ'ରେ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂର୍ଯ୍ୟକୁମାର ଶେଷ ଥର ପାଇଁ ଆଇପିଏଲ୍ରେ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳିଥିଲେ ଏବଂ 'ପ୍ଲେୟାର ଅଫ୍ ଦି ସିରିଜ୍' ବିବେଚିତ ହୋଇଥିଲେ।
ବିସିସିଆଇର ଏକ ସୂତ୍ର ସମ୍ବାଦ ସଂସ୍ଥା ପିଟିଆଇକୁ କହିଛି, "ଅସ୍ତ୍ରୋପଚାର ପରେ ଖେଳିବାକୁ ଫେରିବା ପୂର୍ବରୁ ଫିଟନେସ୍ ପରୀକ୍ଷା (RTP) ବାଧ୍ୟତାମୂଳକ। ସୂର୍ଯ୍ୟକୁମାର ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।" ଅସ୍ତ୍ରୋପଚାର ପରେ ସୂର୍ଯ୍ୟକୁମାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଥିଲେ, "ପେଟର ତଳ ଡାହାଣ ଭାଗରେ ସ୍ପୋର୍ଟସ୍ ହାର୍ନିଆ ପାଇଁ ଅସ୍ତ୍ରୋପଚାର କରାଯାଇଛି। ମୁଁ ଏହା ଜଣାଇ ଖୁସି ଯେ ଅସ୍ତ୍ରୋପଚାର ପରେ ମୁଁ ସୁସ୍ଥ ହୋଇସାରିଛି। ଫେରିବାକୁ ଉତ୍ସାହର ସହିତ ଅପେକ୍ଷା କରୁଛି।"
ଉଲ୍ଲେଖନୀୟ ୨୦୨୫ ଏସିଆ କପ୍ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଏହାର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଖେଳାଯିବ। ଏଥର ଏସିଆ କପରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିବେ। ଏହି ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ୨୦୨୫ ଏସିଆ କପ୍ ର ମ୍ୟାଚ୍ ଆବୁଧାବି ଏବଂ ଦୁବାଇରେ ଖେଳାଯିବ। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିବ।
୩ ଥର ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍
୨୦୨୫ ଏସିଆ କପ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ସେପ୍ଟେମ୍ବର ୧୪ରେ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ଏହି ମ୍ୟାଚ୍ ହେବ। ଉଭୟ ଦଳ ସେପ୍ଟେମ୍ବର ୨୧ରେ ସୁପର-୪ ରାଉଣ୍ଡରେ ମଧ୍ୟ ମୁକାବିଲା କରି ପାରନ୍ତି। ଏହା ପରେ, ଯଦି ଭାରତ ଏବଂ ପାକିସ୍ତାନ ଉଭୟ ଫାଇନାଲରେ ପ୍ରବେଶ କରନ୍ତି, ତେବେ ପୁଣି ଥରେ ଉଭୟଙ୍କ ମଧ୍ୟରେ ମୁକାବିଲା ହେବ। ଏହିପରି ୨୦୨୫ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍ ଖେଳାଯାଇପାରିବ।