ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଟ୍ରାଫିକ ୱାଡେନ୍ ବ୍ୟବସ୍ଥା ଆରମ୍ଭ ହେବ । ଏନେଇ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାସ୍ତରରୁ ସଡକ ସୁରକ୍ଷାକୁ ସୁଦୃଢ କରିବା ସହ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପୋଲିସ ପଦକ୍ଷେପ ନେବ ।
ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ୫୦୦ ଟ୍ରାଫିକ ୱାଡେନ୍ ନିଯୁକ୍ତି ହେବେ । ଧୀରେ ଧୀରେ ବାକୁ ଜିଲ୍ଲାରେ ମଧ୍ୟ ନିଯୁକ୍ତି କରାଯିବ । ଟ୍ରାଫିକ ୱାଡେନ୍ ନିଯୁକ୍ତି ଦାୟିତ୍ବ ପ୍ରତ୍ୟେକ ଜିଲ୍ଲାର ଏସପିମାନଙ୍କୁ ଦିଆଯିବ । ଟ୍ରାଫିକ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇ ଟ୍ରାଫିକ ୱାଡେନ୍ ମାନଙ୍କୁ ନିଯୁକ୍ତି ଦିଆଯିବ । ଜାତୀୟ ରାଜପଥ ପାଟ୍ରୋଲିଂ, ସିସିଟିଭି ନିରୀକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ ପୋଲିସ ଅଧିକାରୀ ।
ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ବଢି ଚାଲିଛି । ଯାହା ଫଳରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି । ଦୁର୍ଘଟଣାକୁ ହ୍ରାସ କରିବା ସହିତ ଅମାନିଆ ଗାଡି ଚାଳକଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଡିଜି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗାଡି ଚାଳକମାନେ ଟ୍ରାଫିକ ନିୟମକୁ ମଧ୍ୟ ମାନୁନାହାନ୍ତି । ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି ।