ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୬୫ ଲକ୍ଷ ମତଦାତାଙ୍କ ତାଲିକା ଜାରି କରିଛି । ଏହି ୬୫ ଲକ୍ଷ ଭୋଟରଙ୍କୁ ଆୟୋଗ ସ୍ୱତନ୍ତ୍ର ପୁନଃ ନିରୀକ୍ଷଣ(ଏସଆଇଆର) ଆଧାରରେ ଭୋଟର ତାଲିକାରୁ ହଟାଇଥଲେ । ଏବେ ଏହି ତାଲିକା ଆୟୋଗଙ୍କ ସରକାରୀ ୱେବସାଇଟ୍ରେ ଜନତାଙ୍କ ପାଇଁ ଉପଲବ୍ଧ ରହିଛି । ସୁପ୍ରିମକୋର୍ଟଙ୍କ ଅଗଷ୍ଟ ୧୪ ଆଦେଶ ପରେ ନିର୍ବାଚନ ଆୟୋଗ ଏହି ତାଲିକାକୁ ପ୍ରକାଶିତ କରିଛନ୍ତି ।
ତାଲିକାରେ ସେହି ମତଦାତାଙ୍କ ନାଁ ସାମିଲ, ଯାହାଙ୍କ ନାଁ ବିହାରରେ ଏସଆଇଆର ପରେ ପ୍ରକାଶିତ ଡ୍ରାଫ୍ଟ ତାଲିକାରୁ ହଟାଇ ଦିଆଯାଇଥିଲା । ମତଦାତାଙ୍କୁ ନିଜର ନାଁ ସହଜରେ ଜାଣିବା ପାଇଁ ଇସି ବିହାରର ୱେବସାଇଟରେ ଏକ ନୂଆ ଲିଙ୍କ ମଧ୍ୟ ଦେଇଛନ୍ତି । ଏହି ଲିଙ୍କ ଉପରେ କ୍ଲିକ କରି ଲୋକେ ସୂଚନା ପାଇ ପାରିବେ ।
ସୁପ୍ରିମକୋର୍ଟ ଗତ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ବିହାରର ମତଦାତା ତାଲିକାରେ ଏସଆଇଆରରେ ପାରଦର୍ଶିତା ବଢାନ୍ତୁ । ଏଥିପାଇଁ ଡ୍ରାଫ୍ଟ ମତଦାତା ତାଲିକାରୁ ହଟାଯାଇଥିବା ୬୫ ଲକ୍ଷ ଭୋଟରଙ୍କ ବିବରଣୀ ପ୍ରକାଶ କରାଯାଉ । ଏହା ସହିତ କାହିଁକି ଏସବୁ ନାଁ ତାଲିକାରେ ସାମିଲ୍ କରାଗଲା ନାହିଁ ତାର କାରଣ ବି ଜଣାଇବାକୁ କୋର୍ଟ କହିଥିଲେ । ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲା ବାଗଚୀଙ୍କ ଖଣ୍ଡପୀଠ ଏହି ମାମଲାରେ ଜୁନ ୨୪ରେ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ଯାଚିକା ଉପରେ ଶୁଣାଣି ବେଳେ ଏହି ଆଦେଶ ପାରିତ କରିଥିଲେ ।
ସୁପ୍ରିମକୋର୍ଟ କହିଥିଲେ ଯେଉଁ ଲୋକଙ୍କ ନାଁ ଭୁଲ ପ୍ରକ୍ରିୟାରେ ହଟି ଯାଇଛି, ସେମାନଙ୍କ ଶୁଣାଣି ପାଇଁ ୩୦ ଦିନର ସୁଯୋଗ ଦିଆଯିବ। ଏହା ବ୍ୟତୀତ ଏହି ଲୋକଙ୍କ ନାଁ କାହିଁକି ତାଲିକାରୁ ହଟାଗଲା ତାର କାରଣ ବି ଦର୍ଶାଇବ ଆୟୋଗ। ଯଦି କାହାରି କୌଣସି ଆପତ୍ତି ରହିଛି ତେବେ ସେ ଆୟୋଗଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ଦସ୍ତାବିଜ ଦେଇ ନାଁକୁ ଭୋଟର ତାଲିକାରେ ଯୋଡ଼ି ପାରିବେ।