ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ଏବଂ ସୋସିଆଲ ମିଡିଆ ସେଲିବ୍ରିଟି ଏଲଭିଶ ଯାଦବଙ୍କ ଘରେ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି। ହରିୟାଣାର ଗୁରୁଗ୍ରାମରେ ତାଙ୍କ ଘରେ ଗୁଳିଚାଳନା ହୋଇଥିବା ସୂଚନା ଅଛି। ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଆହତ ହୋଇନାହାଁନ୍ତି। ଏହି ଘଟଣା ରବିବାର ସକାଳ ୫ଟାରେ ଘଟିଥିଲା। ବାଇକରେ ଆସୁଥିବା ଦୁର୍ବୃତ୍ତମାନେ ତାଙ୍କ ଘର ଉପରେ ଗୁଳି ଚଳାଇଥିଲେ। ଏଲଭିଶଙ୍କ ଘରେ ୧୦ ରୁ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି। ଏଲଭିଶଙ୍କ ଘରେ ଗୁଳିଚାଳନା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁଗ୍ରାମ ପୋଲିସ ଅନୁଯାୟୀ ୩ ଜଣ ଦୁର୍ବୃତ୍ତ ଏଲଭିଶଙ୍କ ଘରେ ଗୁଳିଚାଳନା କରିଛନ୍ତି।
ଏଲଭିଶ ଯାଦବ କିଏ?
ଏଲଭିଶ ଯାଦବ ଜଣେ ସୋସିଆଲ ମିଡିଆ ସେନସେସନ। ସେ ୟୁଟ୍ୟୁବରେ ଭ୍ଲଗ୍ ଭିଡିଓ ତିଆରି କରନ୍ତି। ତାଙ୍କୁ ବିଗ୍ ବସ୍ ଓଟିଟି୨ରେ ଦେଖାଯାଇଥିଲା। ସେ ଏହି ଶୋ’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ନେଇଥିଲେ ଏବଂ ବିଜେତା ହୋଇଥିଲେ। ୱାଇଲ୍ଡ କାର୍ଡ ଏଣ୍ଟ୍ରି ପରେ ବିଜେତା ହୋଇଥିବା ବିଗ୍ ବସ୍ ଇତିହାସରେ ଏଲଭିଶ ପ୍ରଥମ ବିଜେତା। ଏହା ବ୍ୟତୀତ, ତାଙ୍କୁ ଲାଫଟର୍ ସେଫ୍ ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଶୋ’ରେ କରଣ କୁନ୍ଦ୍ରାଙ୍କ ସହିତ ଯୋଡି ହୋଇଥିଲେ। ଏଲଭିଶ ଯାଦବ ଏବଂ କରଣ କୁନ୍ଦ୍ରା ଏହି ଶୋ’ର ବିଜେତା ହୋଇଥିଲେ। ତାଙ୍କ ମାଆ ମଧ୍ୟ ଲାଫଟର ସେଫ୍ର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ।
ଏଲଭିଶ ଯାଦବ ମଧ୍ୟ ଅନେକ ଥର ବିବାଦରେ ରହିଛନ୍ତି। ଏଲଭିଶ ଯାଦବ ଥରେ ଏକ ହୋଟେଲରେ ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିଥିଲେ। ଏହା ବ୍ୟତୀତ ସେ ୟୁଟ୍ୟୁବ ମାକ୍ସଟରଙ୍କୁ ମଧ୍ୟ ଚାପୁଡ଼ା ମାରିଥିଲେ, ଯାହା ଯୋଗୁଁ ସେ ବିବାଦରେ ଘେରି ରହିଥିଲେ।
ଏହା ବ୍ୟତୀତ ଏଲଭିଶଙ୍କ ଉପରେ ଏକ ରେଭ୍ ପାର୍ଟିରେ ସାପ ବିଷ ଯୋଗାଣର ଅଭିଯୋଗ ମଧ୍ୟ ହୋଇଥିଲା। ଏହି କାରଣରୁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ବର୍ତ୍ତମାନ ସେ ଜାମିନରେ ଅଛନ୍ତି। ଏଲଭିଶଙ୍କ ଉପରେ ଥରେ ରାସ୍ତାରୁ ଏକ ଫୁଲ କୁଣ୍ଡ ଚୋରି କରିବାର ଅଭିଯୋଗ ମଧ୍ୟ ହୋଇଥିଲା। ଯେତେବେଳେ ଫୁଲ କୁଣ୍ଡ ଚୋରି ହୋଇଥିଲା, ସେତେବେଳେ ତାଙ୍କ କାର ବ୍ୟବହାର କରାଯାଇଥିଲା। ତଥାପି, ଏଲଭିଶ ଏହି ଅଭିଯୋଗଗୁଡ଼ିକୁ ମିଥ୍ୟା କହିଥିଲେ।
ଅଧିକ ପଢ଼ନ୍ତୁ: କ୍ଷମତାରୁ ହଟିପାରନ୍ତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ