ନୂଆଦିଲ୍ଲୀ: ଚୀନର ବୈଦେଶିକ ମନ୍ତ୍ରୀ ତଥା କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ପୋଲିସ ବ୍ୟୁରୋ ସଦସ୍ୟ ୱାଙ୍ଗ ୱି ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଶନିବାର ଏହାର ଆନୁଷ୍ଠାନିକ ଘୋଷଣା କରିଛି । ୱାଙ୍ଗ ୱି ନିଜର ଏହି ଯାତ୍ରା ସମୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ସହିତ ସୀମା ବିବାଦ ଉପରେ ୨୪ତମ ପର୍ଯ୍ୟାୟର ସ୍ୱତନ୍ତ୍ର ପ୍ରତିନିଧିମଣ୍ଡଳୀୟ ଆଲୋଚନା କରିବେ । ଡୋଭାଲ ଓ ୱାଙ୍ଗ ୱି ଭାରତ-ଚୀନ ସୀମାବାର୍ତ୍ତା ପାଇଁ ନାମିତ ସ୍ୱତନ୍ତ୍ର ପ୍ରତିନିଧି ।
ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି ଯେ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣ କ୍ରମେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଅଗଷ୍ଟ ୧୮ ଏବଂ ୧୯ରେ ଭାରତ ଯାତ୍ରାରେ ଆସୁଛନ୍ତି । ଅଜିତ ଡୋଭାଲଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଚୀନର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।
ୱାଙ୍ଗ ୱିଙ୍କ ଗସ୍ତ ଏମିତି ସମୟରେ ହେଉଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ଚୀନର ତିୟାନଜିନରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀରେ ସାମିଲ ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୯ରେ ଜାପାନ ଗସ୍ତ କରିବେ । ତେବେ ମୋଦୀଙ୍କ ଚୀନ ଗୁରୁତ୍ୱ ବହନ କରୁଛି ।
୨୦୨୦ ଜୁନରେ ଗଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରଠୁ ଭାରତ ଓ ଚୀନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କରେ ଉତ୍ତେଜନା ଦେଖା ଦେଇଥିଲା । ଏହା ପରେ ଉଭୟ ପକ୍ଷ ମଧ୍ୟରେ ମାରାଥନ ଆଲୋଚନା ପରେ ଦୁଇ ଦେଶ ଅନେକ ସ୍ଥାନରୁ ନିଜର ସୈନିକ ପ୍ରତ୍ୟାହାର କରିଥିଲେ । ତଥାପି ଏବେ ବି ୫୦ରୁ ୬୦ ହଜାର ସୈନିକ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ମୁତୟନ ଅଛନ୍ତି । ତେବେ ଦୁଇ ଦେଶ ସଂପ୍ରତି ତିକ୍ତତା ଭୁଲି ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି ।