ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଅଷ୍ଟମ ବେତନ ଆୟୋଗ ଗଠନର ଘୋଷଣାକୁ ପ୍ରାୟ ସାତ ମାସ ପୂରି ସାରିଛି । ହେଲେ ସରକାର ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରୀ ଦିଗରେ ଆଗକୁ ବଢି ପାରି ନାହାନ୍ତି । ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଛି । ମାତ୍ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହାର କାର୍ଯ୍ୟକାରିତା ୨୦୨୮ ପର୍ଯ୍ୟନ୍ତ ଘୁଞ୍ଚିପାରେ ।
ଯଦି ଗତ ପ୍ରକ୍ରିୟା ଉପରେ ନଜର ପକାଇବା ତେବେ ପ୍ରତିଟି ବେତନ ଆୟୋଗ ପ୍ରାୟ ୧୦ ବର୍ଷ ବ୍ୟବଧାନରେ ଲାଗୁ ହୁଏ । ଷଷ୍ଠ ବେତନ ଆୟୋଗ ୨୦୦୬ରେ ଲାଗୁ ହୋଇଥିଲା ଏବଂ ସପ୍ତମ ବେତନ ଆୟୋଗ ୨୦୧୬ରେ ଲାଗୁ ହୋଇଥିଲା । ଏଥିପାଇଁ ସମ୍ଭାବନା ଏହା ଯେ, ଅଷ୍ଟମ ବେତନ ଆୟୋଗ ମଧ୍ୟ ଏହି ଢାଞ୍ଚାରେ ୨୦୨୬ରୁ ୨୦୨୮ ମଧ୍ୟରେ ଲାଗୁ ହେବ । ବର୍ତ୍ତମାନ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା(ଡିଏ) ବୃଦ୍ଧିରେ କିଛିଟା ଆଶ୍ୱସ୍ତି ମିଳୁଛି । ମାତ୍ର ଅଷ୍ଟମ ବେତନ ଆୟୋଗ ଲାଗୁ ହେବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିପାରେ ।
ସୂଚନାଯୋଗ୍ୟ, ଅଷ୍ଟମ ବେତନ ଆୟୋଗ ସାତ ମାସ ପୂର୍ବରୁ ଘୋଷଣା ହୋଇଥିଲେ ହେଁ ଏହାର ସଦସ୍ୟ ଏବଂ ଅଧ୍ୟକ୍ଷ ନିଯୁକ୍ତ ହୋଇ ନାହାନ୍ତି । ଅଷ୍ଟମ ବେତନ ଆୟୋଗଙ୍କ ମୁଖ୍ୟ ଉଦ୍ଦେଶ୍ୟ ଦରବୃଦ୍ଧିର ପ୍ରଭାବକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ଆୟରେ ସୁଧାର କରିବା ହେବ । ଏହି ଆୟୋଗ ଆଧାରରେ ବେସିକ ସାଲାରି, ଗ୍ରେଡ ପେ, ଭତ୍ତା ଏବଂ ପେନସନ ସରଞ୍ଚନାରେ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । କର୍ମଚାରୀଙ୍କ କହିବା କଥା ଯେଉଁ ହିସାବରେ ଦରବୃଦ୍ଧି ଏବଂ ଖର୍ଚ୍ଚ ବଢୁଛି ସେହି ହିସାବରେ ନୂତନ ସାଲାରୀ ଷ୍ଟ୍ରକଚରର ଆବଶ୍ୟକତା ରହିଛି ।