ନୂଆଦିଲ୍ଲୀ: କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସିପି ରାଧାକୃଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ବିଜେପି ସଭାପତି ଜେପି ନଡ୍ଡା ଏହି ସୂଚନା ଦେଇଛନ୍ତି। ନଡ୍ଡା କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସଂସଦୀୟ ବୋର୍ଡ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
ବିଜେପି ସଂସଦୀୟ ବୋର୍ଡର ଗୁରୁତ୍ଵପୂର୍ଣ୍ଣ ବୈଠକ ରବିବାର ସନ୍ଧ୍ୟାରେ ଡକାଯାଇଥିଲା। ବୈଠକରେ ସର୍ବସମ୍ମତି ପରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ନାଁ ଘୋଷଣା କରାଯାଇଛି। ଜେପି ନଡ୍ଡା କହିଛନ୍ତି, ସମସ୍ତଙ୍କ ସହ ଆଲୋଚନା କରାଯିବା ସହ ପ୍ରସ୍ତାବ ମଗାଯାଇଥିଲା। ଏହା ପରେ ସ୍ଥିର ହୋଇଥିଲା ଯେ, ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ କରାଯିବ।
ତାମିଲନାଡୁ ନିବାସୀ ରାଧାକୃଷ୍ଣନ ମହାରାଷ୍ଟ୍ରର ବର୍ତ୍ତମାନ ରାଜ୍ୟପାଳ ଅଛନ୍ତି। ଏହା ପୂର୍ବରୁ ସେ ଝାଡ଼ଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ପରି ରାଜ୍ୟର ରାଜ୍ୟପାଳ ଥିଲେ। ରାଧାକୃଷ୍ଣନଙ୍କ ଜନ୍ମ ତାମିଲନାଡୁର ତିରୁପ୍ପୁରରେ ୧୯୫୭ ଅକ୍ଟୋବର ୨୦ରେ ହୋଇଥିଲା। ସେ ବିଜେପିର ଜଣେ ବରିଷ୍ଠ ନେତା ଏବଂ ନିଜର ରାଜନୈତିକ ଜୀବନ ଆରଏସଏସ ଏବଂ ଜନସଂଘରୁ ଆରମ୍ଭ କରିଥିଲେ। ସେ ୧୯୯୮ ଏବଂ ୧୯୯୯ରେ କୋଏମ୍ବାଟୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡ଼ୁ ରାଜ୍ୟ ବିଜେପି ସଭାପତି ପଦରେ କାର୍ଯ୍ୟ କରିଥିଲେ।
ସିପି ରାଧାକୃଷ୍ଣନ ୨୦୨୩ ଫେବୃଆରୀରୁ ୨୦୨୪ ଜୁଲାଇ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ଉପରାଜ୍ୟପାଳ ଥିଲେ। ସେହିପରି ୨୦୨୪ ମାର୍ଚ୍ଚରୁ ଜୁଲାଇ ଯାଏ ତେଲେଙ୍ଗାନାର ଅତିରିକ୍ତ ପ୍ରଭାର ଏବଂ ୨୦୨୪ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ପୁଡୁଚେରୀର ଉପରାଜ୍ୟପାଳର ଅତିରିକ୍ତ କାର୍ଯ୍ୟଭାର ସମ୍ଭାଳିଥିଲେ। ୨୦୨୪ ଜୁଲାଇ ୩୧ରୁ ମହାରାଷ୍ଟ୍ରର ରାଜ୍ୟପାଳ ପଦରେ ସେ ଆସୀନ ଅଛନ୍ତି।
ଉପରାଷ୍ଟ୍ରପତି ନିର୍ବାଚନ କେବେ ହେବ?
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବ ଏବଂ ଭୋଟ୍ ଗଣତି ମଧ୍ୟ ସେହି ଦିନ ହେବ। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୧ ଥିବା ବେଳେ ପ୍ରାର୍ଥୀମାନେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ।
ସୂଚନାଯୋଗ୍ୟ, ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ରେ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଥିଲା। ଧନଖଡ଼ଙ୍କ ଇସ୍ତଫା ପତ୍ରରେ ଦେଇ କହିଥିଲେ ଯେ, "ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଏବଂ ଡାକ୍ତରୀ ପରାମର୍ଶ ପାଇଁ ମୁଁ ସମ୍ବିଧାନର ଧାରା ୬୭ (ଏ) ଅନୁଯାୟୀ ତତ୍କାଳ ପ୍ରଭାବରୁ ଭାରତର ଉପରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଉଛି।