ନୂଆଦିଲ୍ଲୀ: ଦୀର୍ଘ ୭୮ ବର୍ଷ ପରେ ବଦଳିବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପିଏମଓ ବର୍ତ୍ତମାନ ସମୟରେ ସାଉଥ ବ୍ଲକରେ ଅବସ୍ଥିତ । ତେବେ ଆସନ୍ତା ମାସରେ ଏଗଜିକ୍ୟୁଟିଭ ଏନକ୍ଲେଭକୁ ସ୍ଥାନାନ୍ତର ହେବ । ସରକାରୀ ସୂତ୍ର ଅନୁଯାୟୀ, ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଆଧାରରେ ପ୍ରସ୍ତୁତ କରାଯାଇଥିବା ଏହି ନୂତନ ଏନକ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବ୍ୟତୀତ କ୍ୟାବିନେଟ୍ ସଚିବାଳୟ, ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ ଅତ୍ୟାଧୁନିକ କନଫରେନ୍ସିଂ ସୁବିଧା ମଧ୍ୟ ରହିଛି । ଏହି ନୂତନ ପିଏମଓ ପ୍ରଧାନମନ୍ତ୍ରୀଙ୍କ ବାସଭବନଠୁ ମଧ୍ୟ ନିକଟ ହେବ ।
ନୂଆ ଭବନର ନିର୍ମାଣ ମୁଖ୍ୟତଃ ସ୍ଥାନର ଅଭାବ ଏବଂ ପୁରୁଣା ଦପ୍ତରରେ ଆଧୁନିକ ସୁବିଧାର ଅଭାବ କାରଣରୁ କରାଯାଇଛି । ପ୍ରଧାନମନ୍ତ୍ରୀ ନିକଟରେ ଗୃହ ମନ୍ତ୍ରଣାଳୟ ଓ କାର୍ମିକ ମନ୍ତ୍ରଣାଳୟର ନୂଆ କାର୍ଯ୍ୟାଳୟ କର୍ତ୍ତବ୍ୟ ଭବନ-୩ର ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ପ୍ରଶାସନିକ କଳ ସବୁ ଏ ପର୍ଯ୍ୟନ୍ତ ବ୍ରିଟିଶକାଳର କୋଠାରେ କାମ କରି ଆସୁଥିଲେ । ଏଥିରେ ପର୍ଯ୍ୟାପ୍ତ ସ୍ଥାନ, ଆଲୋକ ଓ ଭେଣ୍ଟିଲେସନର ଅଭାବ ଥିଲା ।
ନୂଆ ପିଏମଓର ନୂଆ ନାମ ମଧ୍ୟ ଦିଆଯାଇପାରେ, ଯାହା ସେବାର ଭାବନାକୁ ଦର୍ଶାଇବ । ପ୍ରଧାନମନ୍ତ୍ରୀ ନିଜର ତୃତୀୟ କାର୍ଯ୍ୟାଳୟର ପ୍ରଥମ ସମ୍ବୋଧନରେ କହିଥିଲେ ଯେ, ପିଏମଓ ଜନତାଙ୍କ ହେବା ଉଚିତ୍, ଏହା ମୋଦୀଙ୍କ ପିଏମଓ ନୁହେଁ ।
ଅନ୍ୟପକ୍ଷେ ନର୍ଥ ବ୍ଲକ ଓ ସାଉଥ ବ୍ଲକ ଯାହା ପ୍ରାୟ ଆଠ ଦଶନ୍ଧିରୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟର କେନ୍ଦ୍ର ସ୍ଥଳ ଥିଲା, ତାହା ଏବେ ସଂଗ୍ରହାଳୟରେ ପରିବର୍ତ୍ତିତ ହେବ । ଏହାକୁ ଯୁଗେ ଯୁଗୀନ ଭାରତ ସଂଗ୍ରହାଳୟର ରୂପ ଦିଆଯିବ । ଏଥିରେ ଭାରତର ସାଂସ୍କୃତିକ ଝଲକର ପ୍ରଦର୍ଶିତ ହେବ ।