ଭୁବନେଶ୍ଵର: ଅସୁସ୍ଥତା କାରଣରୁ ଭୁବନେଶ୍ବର ସମ୍ ଅଲ୍ଟିମେଟ ମେଡିକେୟାରରେ ଭର୍ତ୍ତି ହୋଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ। ତେବେ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଛି।ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ସୂଚନା ମିଳିଛି। ଆସନ୍ତାକାଲି ନବୀନ ମେଡିକାଲରୁ ଡିସଚାର୍ଜ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।
ବିଜେଡି ପକ୍ଷରୁ ନବୀନଙ୍କ ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ନବୀନ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସେ ଆଇ ଆମ୍ ଫାଇନ ଥିବା କହୁଥିବା ଦେଖିବାକୁ ମିଳିଛି। ସେପଟେ ବିଜେଡି ନେତା ସଞ୍ଜୟ ଦାସ ବର୍ମା ଓ ବିଭୂତି ଭୂଷଣ ବଳବନ୍ତରାୟ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ଖୁବଶୀଘ୍ର ଡିସ୍ଚାର୍ଜ ହେବେ ବୋଲି କହିଛନ୍ତି।
ନବୀନଙ୍କ ଅସୁସ୍ଥ ଖବର ଆସିବା ପରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କ ସୁସ୍ଥ କାମନା କରିଥିଲେ। ରାଜ୍ୟପାଳ ହରିବାବୁ କମ୍ଭମପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।
ସୂଚନାଯୋଗ୍ୟ, ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଡିହାଇଡ୍ରେସନରୁ ଅସୁସ୍ଥତା ଅନୁଭବ କରିବାରୁ ରବିବାର ସନ୍ଧ୍ୟା ୫ଟା ୧୫ ମିନିଟ୍ରେ ନବୀନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅସୁସ୍ଥତା ଖବର ଶୁଣିବା ପରେ ମେଡିକାଲ୍କୁ ଦଳୀୟ ନେତାଙ୍କ ଆଗମନ ଛୁଟିଥିଲା।
ଉଲ୍ଲେଖନୀୟ , କିଛି ଦିନ ତଳେ ମୁମ୍ବାଇରୁ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିଥିଲେ । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ନବୀନ ନିବାସକୁ ଡାକ୍ତରୀ ଦଳ ଯାଉଥିଲେ । ଗତରାତିରେ ମଧ୍ୟ ଡାକ୍ତରମାନଙ୍କର ଏକ ଟିମ୍ ନବୀନ ନିବାସ ଯାଇଥିଲେ।