ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇ ସାରିଛି। ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ୍। ତାଙ୍କୁ ଉପଅଧିନାୟକ କରାଯାଇଛି। ଯଶପ୍ରୀତ ବୁମରା ଦଳକୁ ଫେରିଥିବା ବେଳେ ଯଶସ୍ଵୀ ଜୟସ୍ଵାଲଙ୍କୁ ସ୍ଥାନ ମିଳିନି। ସବୁଠୁ ଆଶ୍ଚର୍ଯ୍ୟର କଥା, ପୁଣି ଥରେ ଶ୍ରେୟସ ଆୟରଙ୍କୁ ଦଳରେ ମିଳିନି ସ୍ଥାନ। ଆୟର ଚାମ୍ପିଅନ୍ସ ଟ୍ରଫିର ଚାମ୍ପିଅନ ଦଳର ବ୍ୟାଟିଂରେ ମେରୁଦଣ୍ଡ ଥିଲେ। ସବୁ ଫର୍ମାଟରେ ଏହି ଚାମ୍ପିଅନ ବ୍ୟାଟରଙ୍କ ବ୍ୟାଟ୍ ଗର୍ଜି ଉଠିଛି। ଯାହାର ସଦ୍ୟତମ ଉଦାହରଣ ଆଇପିଏଲ୍ ୨୦୨୫।
ପ୍ରଦର୍ଶନର ସବୁ ମାପକାଠିରେ ନିଜକୁ ପ୍ରମାଣିତ କରି ସାରିଛନ୍ତି ଆୟର। ଦମଦାର ପ୍ରଦର୍ଶନ ପରେ ବି ଖେଳାଳିଙ୍କୁ ସ୍ଥାନ ନ ମିଳିଲେ ସ୍ଵାଭାବିକ ଭାବେ ଏହା ପ୍ରତିଟି କ୍ରିକେଟ୍ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବ। ଆୟରଙ୍କ ପ୍ରଦର୍ଶନ ଯେତିକି ଦମଦାର ରହିଛି, ତାଠୁ ଅଧିକ ପିଲାଳିଆମୀ ଜବାବ ଦେଇଛନ୍ତି ଅଗରକର।
ଅଗରକର ପ୍ରଶ୍ନ କରୁଛନ୍ତି ଯେ, ଆୟରଙ୍କୁ କେଉଁ ଖେଳାଳିଙ୍କ ବଦଳରେ ଏସିଆ କପ୍ ଦଳରେ ରଖାଯିବ। ନା ତାଙ୍କର କୌଣସି ଭୁଲ୍, ନା ଏଥିରେ ଆମର କୌଣସି ଭୁଲ୍। ତାଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ। hele ଆୟର ଗତ ଦୁଇ ବର୍ଷ ହେବ ଯେଉଁଭଳି ପ୍ରଦର୍ଶନ କରି ଆସିଛନ୍ତି, ତା ପରେ ବି ଦଳରେ ସୁଯୋଗ ମିଳିବନି ତେବେ ଏହାର ସିକ୍ରେଟ୍ କାରଣ ବୋଧହୁଏ ଅଗରକର ଏବଂ ଅନ୍ୟ ଚୟନକର୍ତ୍ତାଙ୍କ ପାଖରେ ଥିବ।
ଶ୍ରେୟସ ଆୟର ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୩ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ୍ରେ ସେ ୩୭ ବଲରୁ ୫୩ ରନର ଇନିଂସ ଖେଳି ଭାରତର ୬ ରନ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୨୩ ଦିନିକିଆ ବିଶ୍ଵକପରେ ସେ ୫୦୦ରୁ ଅଧିକ ରନ କରିଥିବା ବଛା ବଛା ଖେଳାଳିଙ୍କ ତାଲିକାରେ ଥିଲେ। ବିଶ୍ଵକପର ୧୧ ଟି ମାଚ୍ର ୧୧ ଇନିଂସରେ ୬୬.୨୫ ଦମଦାର ହାରରେ ୫୩୦ ରନ କରିଥିଲେ।
ପୁଣି ଆଇପିଏଲ୍ ୨୦୨୫ରେ ସେ ୧୭ଟି ମ୍ୟାଚ୍ରେ ୫୦.୩୩ ହାରରେ ଓ ୧୭୫ର ଜବରଦସ୍ତ ଷ୍ଟ୍ରାଇକ ରେଟ୍ରେ ୬୦୪ ରନ କରିଛନ୍ତି। ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡର ରଚିନ ରବୀନ୍ଦ୍ରନଙ୍କ ପରେ ଦ୍ଵିତୀୟ ସର୍ବାଧିକ ରନ ହାସଲକାରୀ ବ୍ୟାଟର ଥିଲେ। ଆୟର ୫ଟି ମ୍ୟାଚ୍ରେ ୪୮ ଦଶମିକ ୬୦ ହାରରେ ୨୪୩ ରନ କରିଥିବା ବେଳେ ରଚିନ ୪ଟି ମ୍ୟାଚ୍ ଖେଳି କରିଥିଲେ ୨୬୩ ରନ।
ଘରୋଇ କ୍ରିକେଟ୍ ହେଉ କି ଅନ୍ତର୍ଜାତୀୟ ମ୍ୟାଚ୍ ଅବା ଆଇପିଏଲ ଆୟର ନିରନ୍ତର ପ୍ରଦର୍ଶନ କରି ଆସିଛନ୍ତି। ୨୦୨୪ ରଣଜୀ ସିଜିନରେ ୫ଟି ଇନିଂସରେ ୯୦ରୁ ଉର୍ଦ୍ଧ୍ଵ ହାରରେ ଏବଂ ୮୦ ଷ୍ଟ୍ରାଇକ ରେଟ୍ରେ କରିଥିଲେ ୪୦୦ ରନ। ପୁଣି ୨୦୨୪ରେ ନିଜ ନେତୃତ୍ଵ ବଳରେ କୋଲକାତା ନାଇଟ୍ ରାଇଡର୍ସକୁ ଚାମ୍ପିୟନ କରାଇଥିଲେ। ୨୦୨୪-୨୫ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ୨୦୦ରୁ ଉର୍ଦ୍ଧ୍ଵ ଷ୍ଟ୍ରାଇକ ରେଟ୍ରେ ୨୦୦ରୁ ଅଧିକ ରନ କରିଥିଲେ।
ଆୟରଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ବି ସ୍ଥାନ ମିଳି ନ ଥିଲା। ତେବେ ଏସିଆ କପ୍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଦଳରେ ସୁଯୋଗ ନ ଦେବା ନିଶ୍ଚିତ ଭାବେ ଏହାକୁ କେହି ସହଜରେ ଗ୍ରହଣ କରି ପାରିବେନି।