ମୁମ୍ବାଇ: ମହିଳା ବିଶ୍ୱକପ୍ ୨୦୨୫ ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି। ଜାତୀୟ ଚୟନକର୍ତ୍ତା ଘୋଷଣା କରିଥିବା ୧୫ ଜଣିଆ ଦଳରେ ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକା କରିଛନ୍ତି। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ମିଳିଛି। ହରମନପ୍ରୀତଙ୍କ ନେତୃତ୍ଵାଧୀନ ଭାରତୀୟ ବିଶ୍ଵକପ୍ ଦଳରେ ବିସ୍ଫୋରକ ଓପନର ଶେଫାଳି ବର୍ମାଙ୍କୁ ସ୍ଥାନ ମିଳିନାହିଁ।
ଭାରତୀୟ ଦଳର ଷ୍ଟାର ଓପନର ବ୍ୟାଟର ଶେଫାଲି ବର୍ମାଙ୍କୁ ଚୟନକର୍ତ୍ତା ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସ୍ଥାନ ଦେଇଥିଲେ। କିନ୍ତୁ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଇଂଲଣ୍ଡ ସିରିଜରେ ତାଙ୍କ ବ୍ୟାଟରୁ କେବଳ ୩, ୪୭, ୩୧ ଏବଂ ୭୫ ରନ ଆସିଥିଲା। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ସେ କେବଳ ୩, ୩ ଏବଂ ୪୧ ରନ କରିଥିଲେ। ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାୱଲଙ୍କ ଯୋଡ଼ି ଭାରତୀୟ ମହିଳା ଦଳ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ନିଜ ଦମରେ ଦଳ ପାଇଁ ଅନେକ ମ୍ୟାଚ୍ ଜିତିଥିଲେ। ୨୦୨୫ ବିଶ୍ୱକପ୍ ପାଇଁ ମନ୍ଧାନା-ରାୱଲଙ୍କ ଯୋଡ଼ିଙ୍କ ଉପରେ ଚୟନକର୍ତ୍ତା ଆଶା ପ୍ରକାଶ କରିଛନ୍ତି।
ମହିଳା ଦିନିକିଆ ବିଶ୍ଵକପ୍ ୨୦୨୫ ପାଇଁ ଭାରତୀୟ ଦଳ
ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ ଅଧିନାୟକ), ପ୍ରତିକା ରାଓ୍ଵଲ, ହରଲୀଲ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ସ, ରେଣୁକା ସିଂ ଠାକୁର, ଅରୁନ୍ଧତି ରେଡ୍ଡୀ, ଋଚା ଘୋଷା(ଓ୍ଵିକେଟ୍ କିପର), କ୍ରାନ୍ତି ଗୌଡ଼, ସୟାଲୀ ସତଘରେ, ରାଧା ଯାଦବ, ଶ୍ରୀ ଚରଣୀ, ୟାସ୍ତିକ ଭାଟିଆ(ଓ୍ଵିକେଟ୍ କିପର), ସ୍ନେହ ରାଣା।
ଭାରତୀୟ ମହିଳା ଦଳରେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ପ୍ରତୀକା ରାୱଲ, ହରଲିନ୍ ଦେଓଲ, ଜେମିମା ରୋଡ୍ରିଗ୍ସ ଭଳି ତାରକା ବ୍ୟାଟର ଅଛନ୍ତି। ବୋଲିଂ ଆକ୍ରମଣରେ ରେଣୁକା ସିଂହ, ଅରୁନ୍ଧତୀ ରେଡ୍ଡୀ, ରାଧା ଯାଦବ ଏବଂ ସ୍ନେହ ରାଣା ଭଳି ଖେଳାଳି ଅଛନ୍ତି। ଭାରତୀୟ ଦଳ ଏପର୍ଯ୍ୟନ୍ତ ମହିଳା ବିଶ୍ୱକପ୍ ଟାଇଟଲ ଜିତିନାହିଁ। ଭାରତ ଦୁଇଥର (୨୦୦୫, ୨୦୧୭) ମହିଳା ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲେ ହେଁ ଉଭୟ ଥର ପରାଜିତ ହୋଇ ରନର୍ସଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
୨୦୨୫ ମହିଳା ବିଶ୍ୱକପରେ ଭାରତୀୟ ଦଳ ସମେତ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦଳ ସାମିଲ୍। ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୩୦ ରେ ଶ୍ରୀଲଙ୍କା ଦଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ।