ଅହମ୍ମଦାବାଦ: ବିଦ୍ୟାର ମନ୍ଦିରରେ ପଡ଼ିଛି ରକ୍ତ ଛିଟା । ଦୁଇ ଛାତ୍ରଙ୍କ ମଧ୍ୟରେ କଳି ନେଇଛି ହିଂସା ଏବଂ ସାମ୍ପ୍ରଦାୟିକ ଦଙ୍ଗାର ରୂପ । ଗୁଜରାଟ ଅହମ୍ମଦାବାରେ ଏକ ଘରୋଇ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ହୋଇଥିବା ନେଇ ସଙ୍ଗୀନ ଖବର ଆସିଛି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ବିଦ୍ୟାଳୟରେ ଭଙ୍ଗାରୁଜା କରାଯାଇଛି ।
ଗତକାଲି ଅହମ୍ମଦାବାଦର ଏକ ଘରୋଇ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ର ଏବଂ ଦଶମ ଶ୍ରେଣୀ ଛାତ୍ରମଧ୍ୟରେ କୌଣସି କାରଣକୁ ନେଇ ବଚସା । ଏହି ବଚସା ହିଂସାର ରୂପ ନେଇଥିଲା । ନବମ ଶ୍ରେଣୀ ଛାତ୍ର ନିଜ ବ୍ୟାଗରେ ରଖିଥିବା ଏକ ଛୁରୀରେ ଦଶମ ଛାତ୍ରକୁ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଛାତ୍ର ନୟନ (୧୫)ର ମୃତ୍ୟୁ ହୋଇଛି ।
ଆମିଷ ପାଇଁ ଝଗଡ଼ା !
ଏହି ଖବର ପ୍ରଚାର ହେବା ହେବା ପରେ ଅନ୍ୟ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଶତାଧିକ ଅଭିଭାବକ ବିଦ୍ୟାଳୟ ପରିସରରେ ରୁଣ୍ଡ ହୋଇ ଆନ୍ଦୋଳନ କରିଛନ୍ତି । ଖାଲି ସେତିକି ନୁହେଁ ଏହି ଘଟଣା ଏବେ ସାମ୍ପ୍ରଦାୟିକ ରୂପ ନେଇଛି । ନୟନ ସିନ୍ଧି ସମ୍ପ୍ରଦାୟର ହୋଇଥିବାବେଳେ ଆକ୍ରମଣକାରୀ ଛାତ୍ର ଜଣେ ମୁସଲିମ ସମ୍ପ୍ରଦାୟର ଅଟେ । ତେଣୁ ବହୁ ସଂଖ୍ୟାରେ ସିନ୍ଧି ସମାଜ ଲୋକ, ହିନ୍ଦୁ ସଂଗଠନର କର୍ମକର୍ତ୍ତା ଏବଂ ଏବିଭିପିର ଅନେକ କର୍ମୀ ଏକାଠି ହୋଇଛନ୍ତି । ସ୍କୁଲରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରାଯାଇଛି । ସ୍କୁଲ କର୍ତ୍ତୃପକ୍ଷ ଏବଂ ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଜଣେ ଅଭିଭାବକ ଜାତୀୟ ଗଣମାଧ୍ୟମକୁ ଏକ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୁଇ ଛାତ୍ରଙ୍କ ମଧ୍ୟରେ ଆମିଷ ଖାଇବାକୁ ନେଇ ଝଗଡ଼ା ହୋଇଥିଲା । ଉକ୍ତ ଛାତ୍ରଟି ପୂର୍ବରୁ ମଧ୍ୟ ଅନେକ ଥର ସ୍କୁଲକୁ ଛୁରୀ ଆଣିଥିବା କୁହାଯାଉଛି ।
ପୋଲିସ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖି କହିଛି ଯେ ସପ୍ତାହକ ତଳେ ପୀଡ଼ିତ ଛାତ୍ରର ଜଣେ ଦାଦା ପୁଅଙ୍କର ନବମ ଶ୍ରେଣୀ ଛାତ୍ର ସହିତ ହୋଇଥିଲା । ମଙ୍ଗଳବାର ପୀଡ଼ିତ ଛାତ୍ର ନବମ ଶ୍ରେଣୀ ଛାତ୍ର ସହିତ ଆଲୋଚନା କରୁଥିବାବେଳେ ସେ ଛୁରୀରେ ଆକ୍ରମଣ କରିଥିଲା । ପୋଲିସ ଉକ୍ତ ଛାତ୍ରକୁ ନିଜ ହେପାଜତକୁ ନେଇଛି । ଏହା ସହିତ ବିଦ୍ୟାଳୟର ସିସିଟିଭି ଫୁଟେଜକୁ ମଧ୍ୟ ଜବତ କରାଯାଇଛି । ଆନ୍ଦୋଳନକୁ ଦେଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।