ଗଞ୍ଜାମ: ଜିଲ୍ଲାରେ ମାତ୍ର ୧୨ ଘଣ୍ଟାରେ ଗଡ଼ିଛି ୨ ମୁଣ୍ଡ । ଗତକାଲି ରମ୍ଭା ଥାନା ଅଧିନରେ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ବେଗୁନିଆପଡ଼ା ଥାନା ଚନ୍ଦନପୁର ପଞ୍ଚାୟତର ସୋରଡ଼ାପଲ୍ଲି ଗାଁରେ ଆଉ ଜଣଙ୍କୁ ରାତିରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଘରୁ ଡାକି ନେଇ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡ଼ିଛି । ମୃତକ ହେଲେ ସୋରଡ଼ାପଲ୍ଲି ଗ୍ରାମର କୈଳାସ ଶବର ।
ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଗତକାଲି ରାତିରେ କୈଳାସ ଶବରଙ୍କୁ ତାଙ୍କର ୩ ଜଣ ବନ୍ଧୁ ଘରୁ ଡାକି ନେଇଥିଲେ । ଏହା ପରେ ୩ ଜଣ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଜୀବନ ନେଇଯାଇଛନ୍ତି । ହତ୍ୟାକାଣ୍ଡ ପରେ ଦୁଇ ଜଣ ଫେରାର ଥିବାବେଳେ ଜଣେ ସାଙ୍ଗ ବେଗୁନିଆପଡ଼ା ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୂର୍ବ ଶତ୍ରୁତାକୁ ନେଇ କୈଳାସଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପୋଲିସ ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ତତସହିତ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ଧରିବାକୁ ଚଢ଼ଉ ପ୍ରକ୍ରିୟା ଆରମ୍ଭ କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ରମ୍ଭା ରେଳ ଷ୍ଟେସନ ନିକଟ ଆର ବାହାଡାପଲ୍ଲୀ ରାସ୍ତାରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ସଂଘବଦ୍ଧ ଭାବେ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ସେ ହେଲେ ଆର୍.ବାହାଡ଼ାପଲ୍ଲୀ ଗ୍ରାମର ଅଗାଧୁ ପ୍ରଧାନଙ୍କ ପୁଅ ପି.ଅଭିମନ୍ୟୁ ପ୍ରଧାନ(୫୫) । କାରଣ ଗତ ୨ ତାରିଖରେ ଆର୍.ବାହାଡ଼ାପଲ୍ଲୀ ଗ୍ରାମର ବି.ମନୁ ପ୍ରଧାନଙ୍କୁ ସାବୁଳିଆ ରେଳ ଫାଟକ ନିକଟରେ ହାଣି ହତ୍ୟା କରାଯାଇଥିଲା । ଏଥିରେ ଅଭିମନ୍ୟୁ ଗୋଷ୍ଠୀର ସଦସ୍ୟ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଥିଲା । ତେଣୁ ପ୍ରତିଶୋଧ ମୂଳକ ଭାବେ ପି. ଅଭିମନ୍ୟୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା ।