ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବୃଆରୀ ୭ରୁ ଆରମ୍ଭ ହେଉଛି ଟି-୨୦ ବିଶ୍ୱକପ୍ ୨୦୨୬ । ଏହି ଟୁର୍ଣ୍ଣାମେଣ୍ଟ ଭାରତ ଓ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଖେଳାଯିବ । ତେବେ ଏହା ପୂର୍ବରୁ ଆଇସିସିକୁ ଲାଗିଛି ବଡ ଝଟକା । ଜିଓଷ୍ଟାର ଇଣ୍ଡିଆ ମିଡିଆ ରାଇଟ୍ସରୁ ପଛକୁ ହଟିବାକୁ ଚାହୁଁଛି । ଜିଓଷ୍ଟାର ନିଜର ନିଷ୍ପତ୍ତି ବିଷୟରେ ଆଇସିସିକୁ ଜଣାଇ ଦେଇଛି । ବହୁତ କ୍ଷତି ସହିବାକୁ ପଡୁଥିବା କାରଣ ଦର୍ଶାଇ ଜିଓଷ୍ଟାର ଚୁକ୍ତିରୁ ଓହରିବାକୁ ଚାହୁଁଛି । ଯଦି ଶୀଘ୍ର ଅନ୍ୟ ପ୍ରସାରଣକର୍ତ୍ତା ନ ମିଳନ୍ତି ତେବେ ଭାରତରେ ବିଶ୍ୱକପ୍ ମ୍ୟାଚ୍ ଦେଖିବା ସମସ୍ୟା ହୋଇପାରେ । ଆଇସିସି ମଧ୍ୟ ନୂଆ ପ୍ଲାଟଫର୍ମର ସନ୍ଧାନରେ ଜୁଟି ଯାଇଛି ।
ଦ ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆଇସିସି ଏକ ଗମ୍ଭୀର ସଙ୍କଟର ସାମ୍ନା କରୁଛି । କାରଣ ଜିଓଷ୍ଟାର ଆଇସିସି କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛି ଯେ, ଭାରତରେ ଆଇସିସି ଟୁର୍ଣ୍ଣାମେଣ୍ଟର ବ୍ରଡକାଷ୍ଟ କରିବାର ଡିଲ୍ ଜାରି ରଖି ପାରିବ ନାହିଁ । ଚୁକ୍ତି ଆହୁରି ଦୁଇ ବର୍ଷ ବାକି ରହିଛି । ବର୍ତ୍ତମାନ ଚାରି ବର୍ଷର ମିଡିଆ ରାଇଟ୍ସ ଚୁକ୍ତିନାମା ଆଧାରରେ ବିପୁଳ କ୍ଷତି ହେବା ପରେ ଜିଓଷ୍ଟାର ଏହି ନିଷ୍ପତ୍ତି ନେଇଛି ।
ଉଲ୍ଲେଖନୀୟ ଜିଓଷ୍ଟାର ଆଇସିସି ସହିତ ୨୦୨୪-୨୭ର ଇଣ୍ଡିଆ ମିଡିଆ ରାଇଟ୍ସ ପାଇଁ ୨୦୨୩ରେ ଚୁକ୍ତି କରିଥିଲା । ଏହି ଚୁକ୍ତି ୨୦୨୪-୨୭ ପାଇଁ ପ୍ରାୟ ୨୫ ହଜାର କୋଟିର ଥିଲା । ଜିଓଷ୍ଟାରକୁ ଡିଜନୀର ଷ୍ଟାର ଇଣ୍ଡିଆଠୁ ଏହି ଡିଲ୍ ପୂର୍ବ ଚୁକ୍ତି ହିସାବରେ ମିଳିଛି । ତେବେ ଜିଓଷ୍ଟାରର ଆଶା ଅନୁଯାୟୀ ଆୟ ହେଉ ନାହିଁ । ଏହି କାରଣରୁ ବିତ୍ତୀୟ ଘାଟା ବଢିବାରେ ଲାଗିଛି । ଡଲାର ମହଙ୍ଗା ହେବା କାରଣରୁ ଜିଓଷ୍ଟାର ଉପରେ ଆର୍ଥିକ ବୋଝ ବଢିବାରେ ଲାଗିଛି ।
ଆଇସିସି ୨୦୨୬-୨୯ର ଇଣ୍ଡିଆ ମିଡିଆ ରାଇଟ୍ସ ପାଇଁ ନୂଆ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି । ଆଇସିସି ଏହି ତିନି ବର୍ଷ ପାଇଁ ପ୍ରାୟ ୨.୪ ବିଲିୟନ ଡଲାର(ପାଖାପାଖି ୨୦ ହଜାର କୋଟି) ଦାବି କରୁଛି । ଆଇସିସି ସୋନି ପିକଚର୍ସ ନେଟୱର୍କ, ନେଟଫ୍ଲିକ୍ସ ଓ ଆମାଜନ ପ୍ରାଇମ ଭିଡିଓ ସମେତ ଅନେକ ବଡ ପ୍ଲାଟଫର୍ମ ସହ ଯୋଗାଯୋଗ ଚଳାଇଛି । ମାତ୍ର ଏ ପର୍ଯ୍ୟନ୍ତ ଡିଲ୍ ଫାଇନାଲ୍ ହୋଇନାହିଁ । କୁହାଯାଉଛି ଅଧିକ ଦର କାରଣରୁ କୌଣସି ବି ପ୍ଲାଟଫର୍ମ ମିଡିଆ ରାଇଟ୍ସ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ।
Also read: ଦକ୍ଷିଣ ଆଫ୍ରିକା ଲଗାଇପାରେ ବିଜୟ ହ୍ୟାଟ୍ରିକ, କଟକରେ ଏମିତି ରହିଛି ଟିମ୍ ଇଣ୍ଡିଆର ରେକର୍ଡ