କଟକ: କଟକ ବାରଙ୍ଗସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ଡାକ୍ତରୀ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ମୃତ୍ୟୁଞ୍ଜୟ ବେଦାନ୍ତ । ସେ ଏମବିଏ ଦ୍ୱିତୀୟ ବର୍ଷର ଛାତ୍ର ଅଟନ୍ତି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଗତକାଲି ରାତିରେ ମୃତ୍ୟୁଞ୍ଜୟ ବାପାଙ୍କ ସହିତ ଫୋନରେ କଥା ହୋଇଥିଲେ । ଖାଇବାକୁ ଯାଉଛନ୍ତି ବୋଲି ମୃତ୍ୟୁଞ୍ଜୟ କହି ଫୋନ୍ ରଖିଥିଲେ । ହେଲେ ହଠାତ୍ ୧୨ଟା ୧୦ ବେଳକୁ ଫୋନ୍ ଯାଇଥିଲା ଯେ ମୃତ୍ୟୁଞ୍ଜୟ ବିଷ ଖାଇ ଦେଇଛନ୍ତି । ଏହା ପରେ ପରିବାର ଲୋକେ ତୁରନ୍ତ ବାଲେଶ୍ୱରରୁ ଆସିଥିଲେ । ପୁଅର ମୃତ ଦେହକୁ ଦେଖିବା ପରେ ବାପା ଧୈର୍ଯ୍ୟହରା ହୋଇପଡ଼ିଛନ୍ତି । ପୁଅର ପାଟି ଏବଂ ନାକରୁ ରକ୍ତ ବାହାରୁଛି । ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଶବ ବ୍ୟବଚ୍ଛେଦ କରିବାକୁ ସେ ଦାବି କରିଛନ୍ତି ।
ମୃତ୍ୟୁଞ୍ଜୟ ନିକଟରେ ଏକ ଘରୋଇ ବ୍ୟାଙ୍କରେ ଚାକିରୀ ମଧ୍ୟ ପାଇଥିଲେ । ଏଥିପାଇଁ ସେ ବେଶ ଖୁସି ଥିଲେ । କିଛି ଦିନ ତଳେ ଘରକୁ ଯାଇ ମିଠା ମଧ୍ୟ ବାଣ୍ଟି ଥିଲେ । ତେଣୁ ସେ କେବେବି ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ପରିବାର କହିଛି ।
ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ ନ କରିବାକୁ ଚାପ ପକାଉଥିବା ମୃତ୍ୟୁଞ୍ଜୟଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ଶବବ୍ୟବଚ୍ଛେଦ ହେଲେ ମୃତ୍ୟୁର ପ୍ରତ୍ୟେକ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି । ଏ ନେଇ ପରିବାର ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡ଼ିକାଲରୁ ପଠାଇ ଦେଇଛି । ମାତ୍ର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।