ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଶୁଭମିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ତଥାକଥିତ ସ୍ୱାମୀ ଦୀପକ ରାଉତ । କ୍ୟାପିଟାଲ ଥାନା ପୋଲିସ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ନିକଟରେ ଦାଖଲ କରିଥିବା ଚାର୍ଜସିଟରୁ ଏହା ସ୍ପଷ୍ଟ ହୋଇଛି ।
ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରାଙ୍କ ହତ୍ୟା ମାମଲାରେ କ୍ୟାପିଟାଲ ଥାନା ପୋଲିସ ୩ ମାସ ମଧ୍ୟରେ ଅଦାଲତଙ୍କ ନିକଟରେ ୬୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ବିଏନ୍ଏସ ଦଫା ୧୦୩(୧), ୨୩୮ ଓ ୬୧(୨) ଚାର୍ଜସିଟ୍ ଦାଖଲ ହୋଇଛି । ଦୀପକ ରାଉତ ମୁଖ୍ୟ ଅଭିଯୁକ୍ତ ହୋଇଥିବବେଳେ ତାର ୩ ସହଯୋଗୀ ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁ, ଜଟିଆ ଓ ଜେସିବି ଡ୍ରାଇଭର ଶମ୍ଭୁ ମହନ୍ତ ମଧ୍ୟ ଅଭିଯୁକ୍ତ ଅଛନ୍ତି । ମାମଲାରେ ପ୍ରାୟ ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ, ଡିଏନଏ ଟେଷ୍ଟ ରିପୋର୍ଟ, ଭିସେରା ରିପୋର୍ଟ, ମାଟିତଳୁ ଶବ ଖୋଳି ବାହାର କରିବା ବେଳର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, କୋର୍ଟ ମ୍ୟାରେଜ୍ ସାର୍ଟିଫିକେଟ୍, ଉଭୟଙ୍କର କିଛି ଫଟୋ ଓ ବୀମା କାଗଜପତ୍ର ଇତ୍ୟାଦିକୁ ଚାର୍ଜସିଟରେ ଯୋଡ଼ା ଯାଇଛି ।
ଚାର୍ଜସିଟରେ ଦର୍ଶାଯାଇଛି, ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଦୀପକ ଶୁଭମିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ପରେ ଶବକୁ ଠିକଣା ଜାଗାରେ ଲଗାଇବା ଏବଂ ପ୍ରମାଣ ନଷ୍ଟ କରିବାରେ ଦୀପକକୁ ତାର ମାଉସୀ ପୁଅ ବିନୋଦ ସମେତ ଅନ୍ୟ ୨ ଜଣ ସହଯୋଗ କରିଥିଲେ । ଶବକୁ ପୋତିବାରେ ବିନୋଦ, ଜଟିଆ ଏବଂ ଶମ୍ଭୁ ସହଯୋଗ କରିଥିଲା ।
ସୂଚନା ଯୋଗ୍ୟ, କମିଶନରେଟ୍ ପୋଲିସର ଟ୍ରାଫିକ୍ ଡିସିପିଙ୍କ କାର୍ଯ୍ୟାଳୟରେ ଶୁଭମିତ୍ରା କାର୍ଯ୍ୟ କରୁଥିଲେ । ସେପ୍ଟେମ୍ବର ୬ ତାରିଖରେ ଡ୍ୟୁଟିକୁ ଆସି ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ପ୍ରଥମେ ପୁରୁଷ ବନ୍ଧୁ ଦୀପକକୁ ଅଟକ ରଖିଥିଲା । ପଚରାଉଚରା ପରେ ଦୀପକ ସତ ମାନିଥିଲା । ସେ ଶୁଭମିତ୍ରାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରୁ ଶୁଭମିତ୍ରାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା ।
୨୦୨୪ ଜୁଲାଇ ୨୩ ତାରିଖରେ ଦୀପକ ଓ ଶୁଭମିତ୍ରା କୋର୍ଟ ମ୍ୟାରେଜ୍ କରିଥିଲେ। ଟଙ୍କାକୁ ନେଇ ସେ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା । ଘର କିଣା ଏବଂ ବାହାଘର ପାଇଁ ସେ ଶୁଭମିତ୍ରାଙ୍କ ଠାରୁ ମୋଟ ୨୦ଲକ୍ଷ ଟଙ୍କା ନେଇଥିଲା । ମାତ୍ର ଘର ନ କିଣିବାରୁ ଶୁଭମିତ୍ରା ଟଙ୍କା ମାଗିଥିଲେ। ଅଗଷ୍ଟ ୨୬ ତାରିଖରେ ଦୀପକ ୧୦ ଲକ୍ଷ ଟଙ୍କା ଫେରସ୍ତ କରିଥିଲା। ବାକି ୧୦ ଲକ୍ଷ ଟଙ୍କା ସେପ୍ଟେମ୍ବର ୧ରେ ଫେରାଇବାକୁ କହିଥିଲା । ତେବେ ୧ ତାରିଖରେ ଟଙ୍କା ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ସେପ୍ଟେମ୍ବର ୬ରେ ଏହା ହତ୍ୟାର ରୂପ ନେଇଥିଲା ।