ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ହାଟପଦାପଡ଼ା ଗ୍ରାମର ନିଖୋଜ ଥିବା ଜଣେ ନାବାଳକ ବିଷୟରେ ବଡ଼ ଖୁଲାସା ହୋଇଛି । ଦୀର୍ଘ ୫ ମାସ ପରେ ପୁଅର ମୃତ ଦେହ ଘର ପଛ ପଟ ବାଡ଼ିରୁ ମିଳିଛି । ତେବେ ହତ୍ୟାକାରୀ ଆଉ କେହି ନୁହେଁ ବରଂ ନିଜ ବଡ଼ ଭାଇ । ଆଉ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଯେ ଉଭୟ ନାବାଳକ ଅଟନ୍ତି, ଉଭୟଙ୍କ ବୟସ ୧୨ ଓ ୧୭ ବର୍ଷ ବୋଲି ପୋଲିସ ସୂଚନା ଦେଇଛି ।
ଦୀର୍ଘ ୫/୬ ମାସତଳୁ ହାଟପଦା ପଡ଼ାର ନାବାଳକ ନିଖୋଜ ଥିବା ନେଇ ମାଆ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବହୁତ ସିସିଟିଭି ଖୋଜିବା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲା । ବଡ଼ ଭାଇ ମଧ୍ୟ ମାଆ ସହିତ ମିଶି ପୋଲିସ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲା । ପରବର୍ତ୍ତୀ ସମୟରେ ମାଆଙ୍କର ବଡ଼ ପୁଅ ଉପରେ ସନ୍ଦେହ ହୋଇଥିଲା । ଏ ନେଇ ମାଆ ଏସପିଙ୍କୁ ସୂଚନା ଦେଇଥିଲେ । ପରେ ବଡ଼ ପୁଅ ପୋଲିସ ପାଖରେ ଆତ୍ମସମର୍ପଣ କରି ଘଟଣାର ସତ୍ୟାସତ୍ୟ ଓଗାଳିଛି ।
ହିନ୍ଦୀ ଚଳଚ୍ଚିତ୍ର ‘ଦୃଶ୍ୟମ’ର କପି
ଆଉ ଏହି ହତ୍ୟାକାଣ୍ଡ ହିନ୍ଦୀ ଚଳଚ୍ଚିତ୍ର ‘ଦୃଶ୍ୟମ’ର କପି ହେବା ପରି ମନେ ହେଉଛି । ଘଟଣା କ୍ରମକୁ ଦେଖିଲେ ଏକ ନାବାଳକ ମୁଣ୍ଡରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଏବଂ ପରବର୍ତ୍ତୀ ସମୟରେ ଦୀର୍ଘ ମାସ ପର୍ଯ୍ୟନ୍ତ ଏହି ଘଟଣାତୁ ନିଜ ମନ ଭିତରେ ଚାପି ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ପ୍ରଥମେ ବଡ଼ ଭାଇ ସାନ ଭାଇକୁ ହତ୍ୟା କରି ଘର ପଛ ପଟେ ମାଟିତଳେ ପୋତି ଦେଇଥିଲା । ଏହା ପରେ କେହି ଜାଣିପାରିବେ ଭାବି ପୁଣି ଥରେ ଉକ୍ତ ମୃତ ଦେହକୁ ମାଟି ତଳୁ ବାହାର କରି ଆଉ ୨୦୦-୩୦୦ ମିଟର୍ ଦୂରରେ ପୋତି ଦେଇଥିଲା ।
ପରବର୍ତ୍ତୀ ସମୟରେ ପ୍ରମାଣ ନଷ୍ଟ କରିବାକୁ ଘରକୁ ଫିନାଇଲରେ ପୋଛିଥିଲା । ଯାହାକୁ ମାଆ ଦେଖିଥିଲେ । କାରଣ ଘର ଚଟାଣରେ ମାଟି ପଡ଼ିଥିଲେ । ମାଆ ଦେଖିବାପରେ ତାଙ୍କର ସନ୍ଦେହ ହେବାରୁ ସେ ପୋଲିସ ନିକଟରେ ସବୁକିଛି ଜଣାଇଥିଲେ । ପରେ ବଡ଼ ପୁଅ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ।
ତେବେ ବଡ଼ ଭାଇ କାହିଁକି ସାନ ଭାଇକୁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ । ତାଙ୍କ ସହିତ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।