ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜନ ଅଭିଯୋଗ ଶୁଣାଣିବେଳେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି । ସେ ଗୁଜରାଟ ରାଜକୋଟ ନିବାସୀ ରାଜେଶ ଭାଇ ଖିମଜୀ ବୋଲି ଜେରା ବେଳେ ଜଣାପଡ଼ିଛି । ତେବେ ସେ ଦୀର୍ଘ ୨୪ ଘଣ୍ଟା ହେବ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ନଜର ରଖୁଥିଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରବେଶ ବର୍ମା । ତାଙ୍କ ବେକ, କାନ୍ଧ ଏବଂ ମୁଣ୍ଡରେ ଆଘାତ ଲାଗିଛି ।
ଅପରପକ୍ଷେ ଅଭିଯୁକ୍ତ ଜଣେ ପଶୁ ପ୍ରେମୀ ବୋଲି କହିଛନ୍ତି ତାଙ୍କ ମାଆ । ମାଆ ଭାନୁବେନ ଗଣମାଧ୍ୟମକୁ ଏତିକି ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ କିଛି ଜାଣି ନାହାଁନ୍ତି । ସେ ଖାଲି କହିଥିଲେ ମୋ ପୁଅ ଜଣେ ପଶୁପ୍ରେମୀ ଅଟେ । ନିକଟରେ ସୁପ୍ରିମକୋର୍ଟ ବୁଲା କୁକୁରଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଦିଲ୍ଲୀରେ ବୁଲୁଥିବା ସମସ୍ତ କୁକୁରଙ୍କୁ ନେଇ ସେଲଟରରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟପକ୍ଷରେ କୁହାଯାଉଛି କି, ଯୁବକଙ୍କ ଅନେକ ସମ୍ପର୍କୀୟ ଜେଲରେ ଅଛନ୍ତି । ସେମାନଙ୍କୁ ମୁକ୍ତ କରିବାକୁ ଅଭିଯୋଗ ନେଇ ଆସିଥିଲା ।
ପ୍ରକାଶଯୋଗ୍ୟ, ବୁଧବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ସରକାରୀ ବାସଭବନରେ ଜନଶୁଣାଣି କରୁଥିବାବେଳେ ସମୟରେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିଲା । ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ପାଇଁ ନିୟୋଜିତ କର୍ମଚାରୀ ଅଭିଯୁକ୍ତକୁ ଧରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଆକ୍ରମଣ କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି।