ନୂଆଦିଲ୍ଲୀ: ଆଇନ ଆଖିରେ ସମସ୍ତେ ସମାନ । ସିଏ ବିଧାୟକ ହୁଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ । ଯଦି ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ତିନି ମାସରୁ ଉର୍ଦ୍ଧ୍ୱ ସମସ୍ତ ଜେଲରେ ରୁହନ୍ତି ତେବେ ସେମାନେ ନିଜର ପଦ ହରାଇବେ । ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବିଲକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ଲୋକସଭାରେ ଆଗତ କରିବେ ।
ବର୍ତ୍ତମାନ ଥିବା ଆଇନରେ ଏପରି କୌଣସି ଧାରା ନାହିଁ, ଯେଉଁଥିରେ ନେତା କିମ୍ବା ମନ୍ତ୍ରୀ ବଡ଼ ଅପରାଧରେ ସଂଶ୍ଳିଷ୍ଟ ଥିଲେ ସେମାନଙ୍କ ଆସନ ଚାଲିଯିବ । କିନ୍ତୁ ଏହି ଆଇନକୁ ଏବେ ଆଣିବାକୁ ଯାଉଛନ୍ତି ମୋଦାୀ ସରକାର । ଏହା ଦ୍ୱାରା ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଲଗାମ ଲାଗି ପାରିବ । ବୁଧବାର କେନ୍ଦ୍ର ସରକାର ମୋଟ ୩ଟି ପ୍ରସ୍ତାବ ଆଗତ କରିବେ । କେନ୍ଦ୍ର ଶାସିତ (ସଂଶୋଧନ) ବିଧେୟକ ୨୦୨୫, ସମ୍ବିଧାନ (୧୩୦ ସଂଶୋଧନ) ୨୦୨୫ ଏବଂ ଜମ୍ମୁ କାଶ୍ମୀର ପୁର୍ନଗଠନ (ସଂଶୋଧନ) ବିଧେୟକ ୨୦୨୫ ସାମିଲ ଅଛି । ଏହି ବିଧେୟକ ଗୁଡ଼ିକୁ ସଂସଦର ଯୁଗ୍ମ କମିଟିକୁ ପଠାଇବାକୁ ପ୍ରସ୍ତାବ ଦିଆଯିବ ।
ସମ୍ବିଧାନର ୧୩୦ତମ ସଂଶୋଧନ :-
ସମ୍ବିଧାନ (୧୩୦ ସଂଶୋଧନ) ବିଧେୟକ ୨୦୨୫ର ଉଦ୍ଦେଶ୍ୟ ହେଉଛି, ସମ୍ବିଧାନରେ ଏପରି କୌଣସି ପ୍ରାବଧାନ ନାହିଁ ଯେଉଁଥିରେ କେହି ମନ୍ତ୍ରୀ ଗମ୍ଭୀର ଅପରାଧରେ ଗିରଫ ହେଲେ କିମ୍ବା ନ୍ୟାୟିକ ହେପାଜତରେ ରହିଲେ ତାଙ୍କୁ ହଟାଯାଇ ପାରିବ । ସେଥିପାଇଁ ଅନୁଚ୍ଛେଦ ୭୫, ୧୬୪ ଏବଂ ୨୩୯ ଏଏର ସଂଶୋଧନ କରାଯିବା ଉଚିତ । ଏହା ଦ୍ୱାରା ଅନେକ ଦାଗୀ ମନ୍ତ୍ରୀମାନଙ୍କୁ ସେମାନଙ୍କ ପଦରୁ ବହିଷ୍କୃତ କରାଯାଇ ପାରିବ ।