ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଭାରତୀୟ ଉତ୍ପାଦ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଅତିରିକ୍ତ ଟାରିଫ ମଧ୍ୟରେ ବଡ ବୟାନ ଦେଇଛି ରୁଷ । ରୁଷ କହିଛି ଯଦି କୌଣସି ଦେଶରେ ଭାରତୀୟ ଉତ୍ପାଦ ଉପରେ ରୋକ ଲଗାଯାଉଛି ତେବେ ରୁଷ ବଜାରରେ ଭାରତୀୟ ସାମଗ୍ରୀକୁ ସ୍ୱାଗତ । ଭାରତରେ ରୁଷ ମିଶନର ଡେପୁଟୀ ମୁଖ୍ୟ ରୋମନ ବାବୁସ୍କିନ ଏହି କଥା କହିଛନ୍ତି ।
ସେ କହିଛନ୍ତି, ଆମେରିକା ଅର୍ଥବ୍ୟବସ୍ଥାକୁ ହତିଆର ଭାବେ ବ୍ୟବହାର କରୁଛି । ମାତ୍ର ଟ୍ରମ୍ପ ପ୍ରଶାସନକୁ ଏହା ଧ୍ୟାନ ଦେବା ଉଚିତ୍ ଯେ, ବନ୍ଧୁ କେବେ କଟକଣା ଲଗାଏ ନାହିଁ । ରୁଷ କେବେ ବି ଏମିତି ପ୍ରତିବନ୍ଧକ ଲଗାଇବ ନାହିଁ । ଭାରତ ଓ ରୁଷ ସର୍ବଦା କଠିନ ସମୟରେ ପରସ୍ପର ସହ ଛିଡା ହୋଇ ଆସିଛନ୍ତି । ଆମେ ଭାରତକୁ ଅଶୋଧିତ ତୈଳ ଯୋଗାଣ ଜାରି ରଖିବୁ ।
ଏହା ବ୍ୟତୀତ ରୋମାନ ବାବୁସ୍କିନ କହିଛନ୍ତି, ସାଂଘାଇ ସହଯୋଗ ସଂଗଠନର ବୈଠକ ପୂର୍ବରୁ ପିଏମ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ସାକ୍ଷାତ ହେବ । ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ । ତେବେ ସେ ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକୁ ନେଇ କୌଣସି ତାରିଖ ସ୍ଥିର ହୋଇ ନ ଥିବା କହିଛନ୍ତି । ସେ କହିଛନ୍ତି, ଭାରତ ଓ ରୁଷ ମଧ୍ୟରେ କାରବାର ଦ୍ରୁତ ଗତିରେ ଆଗକୁ ବଢୁଛି ଏବଂ ୨୦୩୦ ସୁଦ୍ଧା ଏହା ୧୦୦ ବିଲିୟନ ଡଲାର ଟପିଯିବ । ଏହା ବ୍ୟତୀତ ଭାରତକୁ ସାର, ତେଲ, ଗ୍ୟାସ ଆଦି ରପ୍ତାନୀ କରିବାରେ ରୁଷ ପ୍ରଥମ ସ୍ଥାନରେ ରହିଛି । ଆମେରିକାର ରଣନୀତି ଭୁଲ୍ ଅଟେ ଏବଂ ଏହା ତାରି ଉପରେ ହିଁ ଭାରି ପଡିବ ।
ସେ କହିଛନ୍ତି, ଭାରତ ସହିତ ବାଣିଜ୍ୟ ଅସନ୍ତୁଳନ ସମାପ୍ତ କରିବା ପାଇଁ ରୁଷ ପଦକ୍ଷେପ ନେବ । ଏହା ଜରୁରୀ ଯେ, ଭାରତୀୟ ରପ୍ତାନୀ ରୁଷରେ ବଢିଛି । ଆମେ ଚାହୁଁଛୁ ମେସିନାରୀ, ଫାର୍ମା, ଚା ଏବଂ ଚାଉଳ ପରି ସାମଗ୍ରୀର ଆମଦାନୀ ଭାରତଠୁ ବୃଦ୍ଧି କରିବୁ । ଆମେରିକା ଏକତରଫା ଭାବେ ଭାରତ ଉପରେ ଟାରିଫ ଲଗାଇଛି । ଏହା ସଂପୂର୍ଣ୍ଣ ଭୁଲ୍ ବୋଲି ରୁଷ ରାଷ୍ଟ୍ରଦୂତ କହିଛନ୍ତି ।