ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମଶା ଦିବସ’। ଆମେ ପ୍ରତିବର୍ଷ ୨୦ ଅଗଷ୍ଟକୁ ବିଶ୍ୱ ମସା ଦିବସ ଭାବରେ ପାଳନ କରିଥାଉ । ୧୮୯୭ ଅଗଷ୍ଟ ୨୦ରେ ସାର୍ ରୋନାଲ୍ଡ ରସ ମ୍ୟାଲେରିଆ ରୋଗ ମାଈ ଏନୋଫିଲିସ ମଶା କାମୁଡ଼ିଲେ ହୋଇଥାଏ ବୋଲି ଆବିଷ୍କାର କରିଥିଲେ। କିନ୍ତୁ ଏହାପୂର୍ବରୁ ବିଶ୍ୱାସ ଥିଲା ଯେ, ଦୂଷିତ ବାୟୁ ଶ୍ୱାସ କ୍ରିୟାରେ ନେବା ଦ୍ୱାରା ଏହି ରୋଗ ହୁଏ। ଏପରି ତଥ୍ୟ ଆବିଷ୍କାର ପାଇଁ ତାଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ମିଳିଥିଲା।
ମଶା କାମୁଡିବା ଦ୍ବାରା ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ହୋଇଥାଏ । ତେବେ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଶା ଠାରୁ ଦୂରେଇ ରହିବା ଏବଂ ଏହା ଦ୍ବାରା ହେଉଥିବା ରୋଗ ବିଷୟରେ ଲୋକମାନଙ୍କୁ ଅବଗତ କରିବା । ବିଶେଷ କରି ବର୍ଷା ଦିନରେ ମଶାମାନଙ୍କର ବଂଶବିସ୍ତାର ବୃଦ୍ଧି ପାଇଥାଏ । ଅନେକ ରୋଗ ମଧ୍ୟ ହୋଇଥାଏ । ସେଥିରେ ଡେଙ୍ଗୁ, ମ୍ୟାଲେରିଆ, ଜିକା ଭାଇରସ୍ ଏବଂ ଚିକେନଗୁନିଆ ଅନ୍ତର୍ଭୁକ୍ତ। ବିଶେଷ କରି ଡେଙ୍ଗୁ ଏବଂ ମ୍ୟାଲେରିଆ ବିରୋଧରେ ଅଧିକ ପ୍ରତିରୋଧ ଆବଶ୍ୟକ ।
ବିଶ୍ବ ମଶା ଦିବସର ଇତିହାସ:
୧୯୩୦ ପରଠାରୁ ଲଣ୍ଡନ ସ୍କୁଲ ଅଫ୍ ହାଇଜେନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ବ୍ରିଟିଶ୍ ଡାକ୍ତରଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମଶା ରୋଗର ବାହକ । ଏକ ରିପୋର୍ଟ ଅନୁଯାୟୀ, ୨୦୧୦ ମସିହାରେ ଆଫ୍ରିକାରେ ମଶା କାମୁଡ଼ିବା କାରଣରୁ ସର୍ବାଧିକ ମୃତ୍ୟୁ ଘଟିଥିଲା । ଏଥିପାଇଁ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ । ବିଶେଷ କରି ବର୍ଷା ଋତୁରେ ଶରୀରକୁ ଘୋଡାଇଲା ଭଳି ପୋଷାକ ପିନ୍ଧିବା ଆବଶ୍ୟକ । ବିଶେଷଜ୍ଞଙ୍କ ଅନୁଯାୟୀ, ୧୮୯୭ ମସିହାରୁ ମଶା ଦିବସ ପାଳନ ଆରମ୍ଭ ହୋଇଥିଲା । ଯେତେବେଳେ ବ୍ରିଟିଶ ଡାକ୍ତର ରୋନାଲ୍ଡ ରସଙ୍କ ଦ୍ବାରା ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା ।
ଏକ ସର୍ଭେରୁ ଜଣାପଡିଛି ଯେ, ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୨୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ମ୍ୟାଲେରିଆ ଏକ ପରଜୀବୀ ରୋଗ। ପରଜୀବୀ ବା ପାରାସାଇଟ୍ର ‘ପ୍ଲାଜମୋଡିୟମ’, ଯାହା ମ୍ୟାଲେରିଆ ରୋଗୀଙ୍କ ରକ୍ତରେ ଥାଏ । ମାଈ ଏନୋଫିଲିସ ମଶା ରୋଗୀକୁ କାମୁଡି ରକ୍ତ ଶୋଷିଲେ ଏହା ମଶାର ପେଟ ଭିତରକୁ ଚାଲିଯାଏ। ଏହି ସଂକ୍ରମିତ ମଶା ସୁସ୍ଥ ଲୋକଙ୍କୁ କାମୁଡିଲେ ମଶାର ରକ୍ତ ଓ ଲାଳ ସୁସ୍ଥ ଲୋକର ରକ୍ତ ଭିତରକୁ ଚାଲିଯାଇ ତାକୁ ରୋଗାକ୍ରାନ୍ତ କରିପକାଏ। ପ୍ଲାଜମୋଡିୟମ ଫାଲାସିପାରମ୍ ହେଉଛି ଅତି ମାରାତ୍ମକ। ଏହାର ବେଳ ହୁଁ ଚିକିତ୍ସା ନ କଲେ ରୋଗୀର କିଡ୍ନୀ ଅକାମୀ ହୋଇପଡେ ଓ ମସ୍ତିଷ୍କ ଆକ୍ରାନ୍ତ ହୋଇ ରୋଗୀ ଅଚେତ ହୋଇ ପଡି ମରିଯାଏ। ରୋଗୀଠାରୁ ମାତ୍ର ଏକ ବୁନ୍ଦା ରକ୍ତ ନେଇ ପରୀକ୍ଷା କଲେ ମ୍ୟାଲେରିଆ ହୋଇଛି କି ନାହିଁ ତାହା ଜଣାପଡିଯାଏ।
ମଶାଠାରୁ ବର୍ତ୍ତିବାର ଉପାୟ:
ଦୂଷିତ ପାଣିଠାରୁ ଦୂରେଇ ରୁହନ୍ତୁ: ଆର୍ଦ୍ର ସ୍ଥାନ ଏବଂ ସ୍ଥିର ଜଳ ଥିବା ସ୍ଥାନଗୁଡିକରେ ମଶାମାନେ ଶୀଘ୍ର ପ୍ରଜନନ କରିଥାଆନ୍ତି । ତେବେ ମଶାମାନଙ୍କର ବଂଶବୃଦ୍ଧିକୁ ରୋକିବା ପାଇଁ ମଇଳା ସ୍ଥାନ ଠାରୁ ଦୂରେଇ ରହିବା ଉଚିତ । ଆପଣଙ୍କ ଚାରିପାଖରେ ଥିବା ସ୍ଥାନ ଗୁଡିକ ଶୁଖିଲା ଏବଂ ପରିଷ୍କାର ରଖନ୍ତୁ। ଖୋଲା ସ୍ଥାନରେ ବର୍ଷା ଜଳ ସଂଗ୍ରହ କରୁଥିବା ସ୍ଥାନ ଗୁଡିକ ଅପସାରଣ କରନ୍ତୁ । ଫଟା ଟାୟାରକୁ ଘରେ ରଖନ୍ତୁ ନାହିଁ। ମଶା ସମେତ ଅନେକ ଜୀବାଣୁ ଅନ୍ଧକାର ଏବଂ ମଇଳା ପରିବେଶ ପ୍ରତି ଆକର୍ଷିତ ହୁଅନ୍ତି। ତେଣୁ ଗୃହକୁ ପରିଷ୍କାର ରଖିବା ଉଚିତ। ରାତିରେ ଶୋଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ମଶାରି ଭିଡି ଶୁଅନ୍ତୁ।