କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗ୍ରାମର ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସକୁ ଏକ ବଡ଼ ସୁରାକ ମିଳିଛି । ଖୁବଶୀଘ୍ର ତଦନ୍ତ ଶେଷ ହେବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆ ।
ପୋଲିସ କାଠିଆପଡ଼ା ଗ୍ରାମର ମୃତା ଛାତ୍ରୀଙ୍କ ପଡ଼ୋଶୀଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି । ଯାଞ୍ଚ କରିବା ପରେ ଉକ୍ତ ସିସିଟିଭି ଫୁଟେଜକୁ ପୋଲିସ ଜବତ କରିଛି । ଖୋଦ ଏସପି ପୀଡ଼ିତାଙ୍କ ଘରେ ପହଁଚି ତଦନ୍ତ କରୁଛନ୍ତି । ଆଜି ମଧ୍ୟ ପୀଡ଼ିତାଙ୍କ ପରିବାରକୁ ପଚରାଉଚରା କରିଛନ୍ତି । ତେବେ ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଁଚିଥିବା ଜଣାପଡ଼ିଛି । ଏକ ବଡ଼ ସୁରାକ ମିଳିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଖୁବଶୀଘ୍ର ତଦନ୍ତ ଶେଷ ହେବ ବୋଲି ଏସପି କହିଛନ୍ତି ।
ସେପଟେ ସାଂସଦ ବୈଜୟନ୍ତ ପଣ୍ଡା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । ପରିବାର ସହିତ ଆଲୋଚନା କରିଥିବାବେଳେ ସମବେଦନା ଜଣାଇଛନ୍ତି । ସାଂସଦ ଏସପିଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ।
କ’ଣ ଥିଲା ସେଦିନ ଘଟଣା ?
ଗୁରୁବାର ଦିନ କାଠିଆପଡ଼ା ଗ୍ରାମର ଛାତ୍ରୀ ଆତ୍ମଦାହ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଝିଅ ପୋଡ଼ି ହୋଇ ଆତ୍ମହତ୍ୟା କରିଥିବା ବାପା କହିଥିଲେ । ଝିଅର ପୁରୁଷ ବନ୍ଧୁ ପ୍ରମୋଦ ବେହେରା ତାଙ୍କୁ ବ୍ଲାକମେଲ୍ କରୁଥିବାରୁ ସେ ମାନସିକ ଦୁଶ୍ଚିନ୍ତାରେ ଏପରି କରିଥିବା ବାପା ଅଭିଯୋଗ କରିଥିଲେ । ଏହି ମାମଲାରେ ପୋଲିସ ତେରୋହୀ ଗ୍ରାମର ପ୍ରମୋହ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରିଛି । କିନ୍ତୁ ଝିଅର ମୃତ୍ୟୁକୁ ନେଇ ଅନେକ ସନ୍ଦେହ ଓ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି ।
ବାପା ମାଆ ଘରେ ନ ଥିବାବେଳେ ଝିଅ ନିଜକୁ ଜାଳି ଦେଇଛି । ବାପା ମାଆ ସକାଳେ ସାଢ଼େ ୭ଟାବେଳେ ପଟ୍ଟାମୁଣ୍ଡାଇ ଯାଇଥିବେଳେ ଏହି ଘଟଣା ଘଟିଥିଲା । ଉଭୟ ବଜାରରୁ ଫେରିବା ପରେ ଝିଅ ପୋଡ଼ି ହୋଇ ମରିଥିବା ଜଣାପଡ଼ିଥିଲା । କିନ୍ତୁ ବାପା ତୁରନ୍ତ ସମସ୍ତ ଗଣମାଧ୍ୟମକୁ କଣ କହିଥିଲେ ଯେ ସେ ଆତ୍ମହତ୍ୟା କରିଛି । ନା ହତ୍ୟା ସନ୍ଦେହ, ନା ହତ୍ୟା ଅଭିଯୋଗ କିଛି କରିନଥିଲେ । ସେପଟେ ମାଆ କହିଥିଲେ ଝିଅ ପୂର୍ବ ରାତିରେ ବହୁତ ଖୁସି ଥିଲା । ନିଜ ଜନ୍ମ ଦିନ ପାଇଁ କଣ ହେବ ବୋଲି ମାଆ କହିଥିଲେ । ନିଜ ପିଉସୀଙ୍କ ସହିତ ହସି ହସି ଫୋନରେ କଥା ହୋଇଥିଲେ । ଖାଲି ସେତିକି ନୁହେଁ ମାଆ ବଜାରକୁ ଯିବା ପୂର୍ବରୁ କହିଥିଲେ, ଭାତ ରାନ୍ଧି ଦେବୁ, ମୁଁ ଆସିଲେ ଅଲଗା ରୋଷେଇ କରିବି ।
କ’ଣ କହୁଛନ୍ତି ପଡ଼ୋଶୀ
-
ବାପା-ମାଆ ବଜାରରୁ ଫେରିବା ପରେ ସେମାନେ ଶାବଳରେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ, କିନ୍ତୁ ଘରର କବାଟ ଭାଙ୍ଗି ନ ଥିବା ପଡ଼ୋଶୀ କହିଛନ୍ତି । କବାଟରେ ଗୋଟେ ଦାଗ ବି ନାହିଁ ।
-
ସ୍ପଷ୍ଟ ଦିବାଲୋକରେ ଘଟଣା ଘଟିଥିବାବେଳେ ପାଖ ପଡ଼ୋଶୀ କିଛି ଜାଣି ପାରିଲେ ନାହିଁ ।
-
ଘର ଛାତ କବାଟ ଖୋଲା ଥିଲା କିନ୍ତୁ ଗ୍ରୀଲ୍ ବନ୍ଦ ଥିଲା । ମାତ୍ର କୌଣସି ପଡ଼ୋଶୀ ନା ଧୂଆଁ ଦେଖିଛନ୍ତି, ନା ଝିଅର ଚିତ୍କାର ଶୁଣିଛନ୍ତି । କାହାକୁ କିଛି ଜଣା ନ ଥିଲା ।
-
ଛାତ୍ରୀ ଜଣକ ଛାତ ଗ୍ରୀଲରେ ଜିଆଇ ତାରରେ ବନ୍ଧା ଯାଇଥିବା ପଡ଼ୋଶୀ କହିଛନ୍ତି । ଏଠାରେ ପ୍ରଶ୍ନ କ’ଣ ଛାତ୍ରୀ ନିଜକୁ ବାନ୍ଧି, ପୋଡ଼ି ହୋଇଛନ୍ତି ?
-
ସେହିପରି ଝିଅର ହାତରେ ପିମ୍ପୁଡ଼ି ଲାଗିଥିଲା । ଆଉ ଏକ ପ୍ରଶ୍ନ, କ’ଣ ଏତେ କମ୍ ସମୟରେ ଗୋଟେ ପୋଡ଼ା ଶରୀରେ ପିମ୍ପୁଡ଼ି ଲାଗେ ?
ପ୍ରମୋଦଙ୍କ ଭଉଣୀଙ୍କ ପ୍ରତିକ୍ରିୟା
-
ଉଭୟଙ୍କ ଭିତରେ ୭ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ।
-
ଛାତ୍ରୀଙ୍କ ବାପା ବିରୋଧ କରୁଥିଲେ ।
-
ତାଙ୍କ ଝିଅ ପଳାଇ ଯିବାକୁ ଚାହୁଁଥିଲା ।
-
ଝିଅକୁ ପ୍ରବଳ ମାଡ଼ ମଧ୍ୟ ମାରୁଥିଲେ ।
-
ଏମିତିକି ପିଠିରେ ଲୁହା ଚେଙ୍କ ଦେଇଥିଲେ ।
-
କିନ୍ତୁ ଷଡ଼ଯନ୍ତ୍ର କରି ଭାଇ ପ୍ରମୋଦକୁ ଫସାଇ ଦେଉଛନ୍ତି ।