ବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଧିନସ୍ଥ ଫିରିଙ୍ଗିମାଲ ଗ୍ରାମର ନାବାଳିକା ପୋଡ଼ି ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି । ପୋଲିସ ସେମାନଙ୍କୁ ପଚରାଉଚରା କରୁଛି । ପାରିବାରିକ କଳହରୁ ନାବାଳିକାର ମୃତ୍ୟୁ ହୋଇଥିବା ଗତକାଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ।
ସୋମବାର ସକାଳେ ଫିରିଙ୍ଗିମାଲ ଫୁଟବଲ୍ ପଡ଼ିଆରେ ନାବାଳିକା ଜଣକ ଜଳୁଥିବା ଅବସ୍ଥାରେ ସ୍ଥାନୀୟ ଲୋକ ଦେଖି ନିଆଁ ଲିଭାଇଥିଲେ । ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର କିଛି ସମୟ ମଧ୍ୟର ନାବାଳିକାର ପ୍ରାଣ ବାୟୁ ଉଡ଼ିଯାଇଥିଲା ।
ନାବାଳିକାର ଘର ପଦ୍ମପୁର ନିକଟସ୍ଥ ତେଣ୍ଡାପଦର ଗ୍ରାମର ହୋଇଥିବାବେଳେ ସେ ମାମୁଁ ଘରେ ରହୁଥିଲେ । ତାଙ୍କ ମାଆ ଏବଂ ଭାଇ ମଧ୍ୟ ରହୁଥିଲେ । ବାପା ବାହାର ରାଜ୍ୟରେ କାମ କରୁଛନ୍ତି । ସେ ସାପଲହର ଗାନ୍ଧୀ ସେବାଶ୍ରମ ସ୍ମାରକୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଦେହ ଅସୁସ୍ଥ ଥିବାରୁ ସେ ଘରକୁ ଆସିଥିଲେ ।
ତିନି ଜଣ ଆଇଆଇସିଙ୍କୁ ନେଇ ଗଠିତ ତଦନ୍ତକାରୀ ଟିମ୍ ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ପେଟ୍ରୋଲ୍ ବୋତଲ, ଦିଆସିଲି, ଚପଲ ଜବତ କରାଯାଇଛି । ଏହା ସହିତ ପୀଡ଼ିତା ଶେଷ ମୁହୂର୍ତ୍ତରେ ଦେଇଥିବା ପ୍ରତିକ୍ରିୟାର ଭିଡ଼ିଓ ରେକର୍ଡିଂକୁ ମଧ୍ୟ ଜବତ କରିଛି । ଗତକାଲି ମାଜିଷ୍ଟ୍ରେଷ୍ଟଙ୍କ ଉପସ୍ଥିତିରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ ସମୟରେ ମାମୁଁ ଝିଅ ଭଉଣୀ ଅସୁସ୍ଥ ହୋଇପଡ଼ିଥିଲେ ।