ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସର୍ବ ପ୍ରଥମେ ଶୁଭମନ ଗିଲ୍ଙ୍କ ନାଁ ନେଇ ନ ଥିଲେ । ତାଙ୍କ ନାଁରେ ଉପଅଧିନାୟକ ଶବ୍ଦ ଯୋଡା ଯିବା ପରେ ବାକି ୧୪ ସଦସ୍ୟଙ୍କ ନାଁ ଘୋଷଣା କରିଥିଲେ ଅଗରକର ।
ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଥମ ପ୍ରଶ୍ନ ଶୁଭମନ ଗିଲଙ୍କୁ ନେଇ ଥିଲା । କାରଣ ଗିଲଙ୍କ ନାଁ ସବୁଠୁ କୌତୁହଳ ଥିଲା ଯେ, ତାଙ୍କୁ ଏସିଆ କପ ଦଳରେ ସାମିଲ୍ କରାଯିବ କି ନାହିଁ । ଚୟନ କମିଟିର ବୈଠକରେ ମଧ୍ୟ ଶୁଭମନ ଗିଲ୍ ଆଲୋଚନାର କେନ୍ଦ୍ର ଥିଲେ । ଏବେ ଖୁଲାସା ହୋଇଛି ଯେ, ଉପଅଧିନାୟକ ପାଇଁ ଗିଲ୍ ଅଗରକରଙ୍କ ପ୍ରଥମ ସପନ୍ଦ ନ ଥିଲେ । ପୁଣି ଏମିତି କଣ ହେଲା ଯେ, ମୁଖ୍ୟ ଚୟନକର୍ତ୍ତାଙ୍କୁ ନିଜର ବିଚାର ବଦଳାଇବାକୁ ପଡିଲା ?
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଚୟନ କମିଟିର ବୈଠରେ ସର୍ବପ୍ରଥମେ ବଡ ପ୍ରଶ୍ନ ଏହା ଥିଲା ଯେ, ଶୁଭମନ ଗିଲଙ୍କ ଟି-୨୦ରେ ପ୍ରତ୍ୟାବର୍ତ୍ତନରେ ଦଳରେ ତାଙ୍କର କଣ ଭୂମିକା ରହିବ । ତାଙ୍କୁ ଉପଅଧିନାୟକ କରାଯିବା ନେଇ ବହୁ ଆଲୋଚନା ହୋଇଥିଲା । ଚୟମ କମିଟି ଏବଂ ଅଧ୍ୟକ୍ଷ ଅଜିତ ଅଗରକର ଉପଅଧିନାୟକ ଭାବେ ଅକ୍ଷର ପଟେଲଙ୍କ ସମେତ ଅନ୍ୟ ବିକଳ୍ପ ଉପରେ ବିଚାର କରୁଥିଲେ । ଏଥିପାଇଁ ଗିଲ୍ ଅଜିତ ଅଗରକରଙ୍କ ପ୍ରଥମ ପସନ୍ଦ ନ ଥିଲେ । କିନ୍ତୁ ଶେଷରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତୀୟ ଦଳର ଟେଷ୍ଟ ଅଧିନାୟକଙ୍କୁ ଟି-୨୦ ଦଳରେ ଉପଅଧିନାୟକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଚୟନ କମିଟି ଉପଅଧିନାୟକ ବିଷୟରେ ଆଲୋଚନା ସମୟରେ ଏହା ବିଚାର କରିଥିଲେ, ଯାହାକୁ ବି ଉପଅଧିନାୟକ କରାଯାଉ ଚଳିବ, କିନ୍ତୁ ଏମିତି ହେବା ଉଚିତ୍ ଯିଏ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳି ପାରିବ । ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମିଟିଂରେ ଭିଡିଓ କନଫରେନ୍ସ ଜରିଆରେ ସାମିଲ ହୋଇଥିଲେ ଏବଂ କୌଣସି ଯୁବ ଖେଳାଳିଙ୍କୁ ଏହି ଦାୟିତ୍ୱ ଦେବା ବିଚାରକୁ ସମର୍ଥନ କରିଥିଲେ, ଯାହାକୁ ଭବିଷ୍ୟତରେ ଅଧିନାୟକ ଭାବେ ଗଢା ଯାଇ ପାରିବ ।
ଗିଲ୍ ଏବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳୁଛନ୍ତି । ଏଥିପାଇଁ ଚୟନକର୍ତ୍ତା ହୃଦବୋଧ କରିଥିଲେ ଯେ, ଏହା ଉଚିତ୍ ସମୟ ଗିଲ ଏମିତି ଗଢାଯାଉ ଯେମିତି ସୂର୍ଯ୍ୟକୁମାର ଯାଦବଙ୍କଠୁ ଅଧିନାୟକ ପଦ ନେବା ପାଇଁ ଯୋଗ୍ୟ ହୋଇଯିବେ । ଆଉ ଏଠାରେ ହିଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଳରେ ସ୍ଥାନ ମିଳିଲା ନାହିଁ । ଏବେ ଦଳ ପ୍ରବନ୍ଧକଙ୍କୁ ଏହା ନିଷ୍ପତ୍ତି ନେବାକୁ ପଡିବ ଯେ, ଗିଲଙ୍କ ଦ୍ୱାରା ଓପନିଂ କରାଯିବ ନା ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ହିଟ୍ ଯୋଡି ଇନିଂସ ଓପନ କରିବେ ଏବଂ ଉପଅଧିନାୟକଙ୍କୁ ଅନ୍ୟ କୌଣସି ନମ୍ବରରେ ବ୍ୟାଟିଂ କରାଇବେ ।