ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିର୍ମିତ ହେବାକୁ ଥିବା ଏହି ନୂଆ ଭବନରେ ଓଡିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବା ପାଇଁ ଆର୍କିଟେକ୍ଟଙ୍କୁ ପରାମର୍ଶ ଦେଇଥିଲେ । ଏହି ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରୁ ଜଣାଯାଇଛି ଯେ, ସମୁଦାୟ ୪,୭୬୧ ବର୍ଗ ମିଟର ନିର୍ମାଣ ଅଞ୍ଚଳରେ ଏହି G+6 ଭବନ ନିର୍ମାଣ କରାଯିବ ଏବଂ ଏଥିରେ ସମୁଦାୟ ୪୫ଟି ବିଭିନ୍ନ ବର୍ଗର ସୁଇଟ୍ ଉପଲବ୍ଧ ହେବ । ଭବନରେ ଏକ ସମ୍ମିଳନୀ କକ୍ଷର ମଧ୍ୟ ବ୍ୟବସ୍ଥା କରାଯାଇଛି।ସେହିଭଳି ମୁମ୍ବାଇକୁ ଯେହେତୁ ଓଡିଶାରୁ ଅଧିକ ସଂଖ୍ୟକ କ୍ୟାନସର ରୋଗୀ ଚିକିତ୍ସିତ ହେବାକୁ ଯାଉଛନ୍ତି, ତେଣୁ ମୁମ୍ବାଇ ଓଡିଶା ଭବନରେ ଅଧିକ କୋଠରୀ ବ୍ୟବସ୍ଥା କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥି ସହିତ ଓଡିଶାରୁ ଅଯୋଧ୍ୟାକୁ ଅଧିକ ସଂଖ୍ୟକ ଭକ୍ତ ଓ ଦର୍ଶାଳୁ ଯାଉଥିବାରୁ ଏବଂ ହାଇଦ୍ରାବାଦ ଓ ସୁରଟରେ ବହୁଳ ଭାବେ ଓଡିଆ ଲୋକ ରହୁଥିବାରୁ ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ଓଡିଶା ଭବନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ କୋଲକତା ଉତ୍କଳ ଭବନର ମରାମତି ଓ ନବୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।
ଅଧିକ ପଢନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ପ୍ରତି ପଂଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର