ଧର୍ମଶାଳା: ଯାଜପୁର ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାତ ବଳବନ୍ତରାୟ । ଅନାସ୍ଥା ଭୋଟ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଭାତ ଇସ୍ତଫା ଦେଇଛନ୍ତି ।
ପ୍ରଭାତ ବଳବନ୍ତରାୟ ଓରଫ୍ ଲୁଲୁ ହେଉଛନ୍ତି ପୂର୍ବତନ ବିଧାୟକଙ୍କ ପ୍ରଣବ ବଳବନ୍ତରାୟ ଓରଫ ଜିତୁଙ୍କ ସାନ ଭାଇ । ଦୀର୍ଘ ଦିନ ହେବ ଧର୍ମଶାଳା ବିଜେଡ଼ିରେ ଛକାପଞ୍ଝା ଲାଗିରହିଥିଲା । ଅଗଷ୍ଟ ୧୧ରେ ପ୍ରଭାତଙ୍କ ବିରୁଦ୍ଧରେ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଧର୍ମଶାଳାରେ ୪୫ ପଞ୍ଚାୟତ ଏବଂ ୪୫ ସମିତି ସଭ୍ୟ ପଦ ରହିଛି । ପ୍ରଭାତ ଦୀର୍ଘ ଦିନ ହେବ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଉନଥିଲେ ବୋଲି ଅଭିଯୋଗ ହୋଇଥିଲା । ଖାଲି ସେତିକି ନୁହେଁ ସେ ଅଧିକାଂଶ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିଲେ ବୋଲି ଅଭିଯୋଗ ଆସିଥିଲା । ଆସନ୍ତା ୨୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ହୋଇଥାଆନ୍ତି । କିନ୍ତୁ ତାହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।