ନୂଆଦିଲ୍ଲୀ: ପୁଣି ଥରେ ଓଡ଼ିଶାବାସୀଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । ଦୀର୍ଘ ଦିନ ହେବା ଦାବି ହୋଇଆସୁଥିବା କଟକ-ଭୁବନେଶ୍ୱର ବାଇପାସ୍ ରୋଡ୍ କୁ କେନ୍ଦ୍ର କ୍ୟାବିନେଟର ମୋହର ଲାଗିଛି । ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଏହି ୬ ଥାକିଆ ବିଶିଷ୍ଟ ୧୧୦ କିଲୋମିଟର ୮୭୫ ମିଟର୍ ଦୀର୍ଘ ରିଙ୍ଗ ରୋଡ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏଥିପାଇଁ ୮ ହଜାର ୩୦୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
କୋଲକାତା ଏବଂ ଚେନ୍ନାଇ ଜାତୀୟ ରାଜପଥ-୧୬ ଉପରେ ଏହି ବାଇପାସ୍ ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ । ଏହା ପ୍ରମୁଖ ତିନୋଟି ଜାତୀୟ ରାଜପଥ ଏନ୍ଏଚ୍-୫୫, ଏନ୍ଏଚ୍-୫୭ ଓ ଏନ୍ଏଚ୍-୬୫୫ ଏବଂ ଗୋଟିଏ ରାଜ୍ୟ ରାଜପଥ (SH-୬୫) କୁ ସଂଯୋଗ କରିବ । ଏହି ପ୍ରକଳ୍ପଟି ରାଜ୍ୟର ୪ଟି ପ୍ରମୁଖ ସହର ଭୁବନେଶ୍ବର, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳକୁ ସଂଯୋଗ କରିବ । ଏଥିପାଇଁ ପ୍ରାୟ ଅଢ଼େଇ ବର୍ଷ ସମୟ ଲାଗିବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବ ବାଇପାସ୍ ରୋଡ୍ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ବିକାଶର ଏକ ଅଂଶ ଅଟେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ରିଙ୍ଗ୍ ରୋଡ୍ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସହରରେ ଯାତାୟାତ କରୁଥିବା ଭାରୀ ଯାନ ଗୁଡ଼ିକ ଚଳାଚଳରେ ବେଶ ସହାୟକ ହେବ । ଫଳରେ ଦୈତନଗରୀ କଟକ ଓ ଭୁବନେଶ୍ୱର ରାସ୍ତାରେ ଭିଡ଼ ହ୍ରାସ କରିବ । ଏହା ମାଲ ପରିବହନର ବୃଦ୍ଧି, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ଏବଂ ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।
ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି ।