ବ୍ରହ୍ମପୁର: ବ୍ରହ୍ମପୁରରେ ଜଣେ ବିବାହିତ ମହିଳାଙ୍କୁ ଗଳା କାଟି ହତ୍ୟା କରିଥିବା ଯୁବକଙ୍କୁ ପୋଲିସ କର୍ଣ୍ଣାଟକରୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ଶାନ୍ତନୁ ପାତ୍ର । ତାର ଘର ବାଲେଶ୍ୱର ଖଣ୍ଡପଡ଼ାରେ ହୋଇଥିବାବେଳେ ସେ ତାର ପରିଚୟ ଗୋପନ ରଖିଥିଲା । ବ୍ରହ୍ମପୁରରେ ସେ ସୁନୀଲ ସ୍ୱାଇଁ ନାମରେ ନକଲି ଆଧାର କାର୍ଡ କରି ରହୁଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ ।
ଶାନ୍ତନୁ ପାତ୍ର ଓରଫ୍ ସୁନୀଲ ସ୍ୱାଇଁ ନିମଖଣ୍ଡି ଶ୍ରୀମା ନଗରରେ ରହୁଥିବାବେଳେ ଜଣେ ବିବାହିତ ମହିଳାଙ୍କ ସହିତ ତାଙ୍କର ଅନୈତିକ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏପରିକି ସେ ଉକ୍ତ ମହିଳାଙ୍କୁ ନେଇ ମୁମ୍ବାଇ ଫେରାର ହୋଇଯାଇଥିଲା । ମହିଳା ଜଣକ କିଛି ଦିନ ସୁନୀଲ ସହ ରହିବା ପରେ ପୁଣି ଥରେ ବ୍ରହ୍ମପୁର ଫେରିଆସିଥିଲେ । ଏହାରି ମଧ୍ୟରେ ମହିଳା ଜଣକ ସମ୍ପର୍କ ନ ରଖିବା ଭୟରେ ସୁନୀଲ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା । ଗତ ୧୦ ତାରିଖରେ ଶେଷରେ ମହିଳାଙ୍କ ଗଳା କାଟି ହତ୍ୟା କରିଥିବା କହିଛନ୍ତି ଏସପି ଶ୍ରବଣ ବିବେକ ।
ଖାଲି ସେତିକି ନୁହେଁ, ମହିଳାଙ୍କ ଜଣେ ନାବାଳିକା ଝିଅ ମଧ୍ୟ ଥିଲେ । ସେହି ସମୟରେ ଝିଅଟି ମାଆର ହତ୍ୟା ଦେଖିଦେବାରୁ ତାକୁ ମଧ୍ୟ ଆକ୍ରମଣ କରିଥିଲା । କିନ୍ତୁ ସୌଭାଗ୍ୟ ବଶତଃ ଝିଅଟି ବଞ୍ଚିଯାଇଥିବା କହିଛନ୍ତି ଏସପି ।
ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ କରି ସୁନୀଲକୁ କର୍ଣ୍ଣାଟକରେ ଠାବ କରିଥିଲା । କର୍ଣ୍ଣାଟକ କାଲ୍ବୁରାଗି ଜିଲ୍ଲା ୱାଡ଼ି ରେଲୱେ ଷ୍ଟେସନରୁ ଗିରଫ କରିବା ପରେ ଓଡ଼ିଶା ଆଣିଛି ପୋଲିସ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୧ ତାରିଖରେ ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗରରେ ଏକ ଭଡ଼ା ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ମହିଳା ଜଣ ହେଲେ ଗାୟତ୍ରୀ ସ୍ୱାଇଁ(୩୪) ଏବଂ ତାଙ୍କ ଝିଅ ନିଲମ ସ୍ୱାଇଁ (୧୦) । ଲୋଚପଡ଼ା ଅଞ୍ଚଳରେ ବ୍ୟବସାୟ କରୁଥିବା ଜଣେ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ।