ନୂଆଦିଲ୍ଲୀ: ଜିଏସଟିରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଜିଏସଟି ଦରକୁ ତର୍କସଙ୍ଗତ କରିବା ପାଇଁ ରାଜ୍ୟର ଅର୍ଥ ମନ୍ତ୍ରୀଙ୍କ ସମୂହ(ଜିଓଏମ)ର ମହତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସ୍ୱୀକାର କରାଯାଇଛି । ଟ୍ୟାକ୍ସ ସ୍ଲାବକୁ ହ୍ରାସ କରାଯାଇ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଦୁଇଟି ସ୍ଲାବ ରଖିବା ନେଇ ଆଲୋଚନା ହୋଇଛି, ଯାହା ଉପରେ ଜିଓଏମ ସହମତି ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାର ଜିଏସଟିରେ ପରିବର୍ତ୍ତନ କରି ସାଧାରଣ ଲୋକ, ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ ଏମଏସଏମଇ କ୍ଷେତ୍ରରେ ଆଶ୍ୱସ୍ତି ଦେବାକୁ ଚାହୁଁଛନ୍ତି। ଏହା ମାଧ୍ୟମରେ ଟିକସ ବ୍ୟବସ୍ଥାକୁ ସରଳ କରିବାକୁ ମଧ୍ୟ ଚାହୁଁଛନ୍ତି।
ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ମନ୍ତ୍ରୀ ଗୋଷ୍ଠୀ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ଜିଏସଟି ସ୍ଲାବ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ବର୍ତ୍ତମାନ ଏହା ସ୍ଥାନରେ କେବଳ ଦୁଇଟି ହାର ପ୍ରଯୁଜ୍ୟ ହେବ। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୫ ପ୍ରତିଶତ ଟିକସ ଏବଂ ସାଧାରଣ ସାମଗ୍ରୀ ଉପରେ ୧୮ ପ୍ରତିଶତ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତମାଖୁ ଭଳି କିଛି କ୍ଷତିକାରକ ସାମଗ୍ରୀ ଉପରେ ୪୦% ହାର ଲଗାଇବା ଉପରେ ବିଚାର କରାଯାଉଛି ।
ଜିଏସଟି ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ସ୍ଲାବକୁ ତର୍କସଙ୍ଗତ କରିବା ଦ୍ୱାରା ସାଧାରଣ ଲୋକ, ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରକୁ ଅଧିକ ଆଶ୍ୱସ୍ତି ମିଳିବ। ଏହା ସହିତ, ଏକ ସହଜ ଏବଂ ସ୍ୱଚ୍ଛ ଟିକସ ବ୍ୟବସ୍ଥା ସୁନିଶ୍ଚିତ କରାଯିବ।