ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରଠୁ ଖେଳାଳିଙ୍କ ଚୟନକୁ ନେଇ ଜୋରଦାର ବିତର୍କ ଜାରି ରହିଛି । ଶ୍ରେୟସ ଆୟର, ଯଶସ୍ୱୀ ଜୟସ୍ୱାଲ, ମହମ୍ମଦ ସିରାଜଙ୍କ ପରି ଖେଳାଳିଙ୍କୁ ୧୫ ଜଣିଆ ଦଳରେ ଚୟନ ନ ହେବା ନେଇ ପ୍ରଶ୍ନ ଉଠିଛି । ଆଉ କିଛି ଖେଳାଳିଙ୍କ ଚୟନ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା କୋଲକାତା ନାଇଟ ରାଇଡର୍ସର ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଏସିଆ କପରେ ଚୟନ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଚୋପ୍ରା ନିଜର ୟୁଟ୍ୟୁବ ଚ୍ୟାନେଲରେ ପ୍ରଶ୍ନ କରିଛନ୍ତି ଯେ, ହର୍ଷିତ ରାଣାଙ୍କ କେସ୍ ବହୁତ ରୋଚକ । ତାଙ୍କ ବିଷୟରେ ଆଲୋଚନାର ଆବଶ୍ୟକତା ରହିଛି । କାରଣ ଥରେ ସେ ହର୍ଷିତ ରାଣାଙ୍କ ବଦଳ ଖେଳାଳି ଭାବେ ଆସିଥିଲେ ଏବଂ ତିନୋଟି ୱିକେଟ୍ ବି ନେଇଥିଲେ । ହେଲେ ଏହା ପୂର୍ବରୁ କଣ ଘଟିଲା ?
ଚୋପ୍ରା କହିଛନ୍ତି, ହର୍ଷିତଙ୍କ ଗତ ଆଇପିଏଲ୍ ସିଜିନ ବହୁତ ସାଧାରଣ ଥିଲା । ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ରେକର୍ଡ ମଧ୍ୟ ଆଖିଦୃଶିଆ ନୁହେଁ । ଏମିତିରେ ଲାଗୁ ନ ଥିଲା ଯେ, ତାଙ୍କୁ ଦଳରେ ସୁଯୋଗ ମିଳିବ । ସେ ଏହା ମଧ୍ୟ କହିଛନ୍ତି, ଏହା ସତ ଯେ, ତାଙ୍କୁ ସବୁ ମ୍ୟାଚରେ ସୁଯୋଗ ମିଳିବ ନାହିଁ । ହୋଇପାରେ କିଛି ମ୍ୟାଚରେ ସୁଯୋଗ ମିଳିବ, ଯଦି ବୁମରା ବିଶ୍ରାମ ନିଅନ୍ତି । ଯଦି ତାଙ୍କୁ ଖେଳିବାର ସୁଯୋଗ ନ ମିଳେ ତେବେ ଆପଣ କହିବେ ଯେ, ବାହାରେ ତ ବସିବ, ଏଥିରେ କଣ ଫରକ ପଡିବ ।
ଆକାଶ ଚୋପ୍ରା ପ୍ରସିଦ୍ଧ କୃଷ୍ଣା ଏବଂ ମହମ୍ମଦ ସିରାଜଙ୍କ ଉପରେ ହର୍ଷିତ ରାଣାଙ୍କୁ ଗୁରୁତ୍ୱ ଦେବା ଉପରେ ପ୍ରଶ୍ନ ଉଠାଇଛନ୍ତି । ଯଦି ଆପଣ ସଦ୍ୟତମ ପ୍ରଦର୍ଶନକୁ ଦେଖିବେ ତେବେ ପ୍ରସିଦ୍ଧ କୃଷ୍ଣାଙ୍କୁ ସୁଯୋଗ ମିଳିବାର ଥିଲା କିମ୍ବା ସିରାଜଙ୍କୁ ଗୁରୁତ୍ୱ ଦିଆଯିବାର ଥିଲା । କିନ୍ତୁ ଦଳ ପ୍ରବନ୍ଧକ ପୁଣି ଥରେ ହର୍ଷିତ ରାଣାଙ୍କୁ ସୁଯୋଗ ଦେଇଛନ୍ତି । ଏହା ଅନ୍ୟ ଯୋଗ୍ୟ ଖେଳାଳିଙ୍କ ପ୍ରତି ଅପମାନ ବୋଲି ଚୋପ୍ରା କହିଛନ୍ତି ।