ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଖେଳାଳିଙ୍କ ଫିଟନେସ ଯାଞ୍ଚ ପାଇଁ ଏକ ନୂଆ ନିୟମ ଆଣିଛି । ଏହି ନୂଆ ନିୟମର ନାଁ ବ୍ରୋଙ୍କୋ ଟେଷ୍ଟ ରଖାଯାଇଛି । ଏହି ନିୟମକୁ ରଗବୀରୁ ଅନୁସରଣ କରାଯାଇଛି । ଏଥିରେ ଖେଳାଳିଙ୍କ ଏରୋବିକ କ୍ଷମତା ଏବଂ ରନିଙ୍ଗ ଷ୍ଟାମିନାକୁ ପରଖାଯିବ । ଏହା ସହ ଖେଳାଳିଙ୍କ ଲମ୍ବା ଦୌଡ କରାଯାଇ ଫିଟନେସ୍ ଟେଷ୍ଟ କରାଯିବ ।
ବିଶେଷ କରି ବ୍ରୋଙ୍କୋ ଟେଷ୍ଟ ବୋଲରଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପରେ ଖେଳାଳିଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯିବ । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଖେଳାଳିଙ୍କ ଷ୍ଟାମିନା ବଢାଇବା ଏବଂ ଦୀର୍ଘ ସମୟ ଯାଏଁ ଫିଟ୍ ରଖିବା ପାଇଁ ବ୍ରୋଙ୍କୋ ଟେଷ୍ଟ ବାଧ୍ୟତାମୂଳକ କରାଯିବ ।
କଣ ଏହି ବ୍ରୋଙ୍କୋ ଟେଷ୍ଟ ?
ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କଣ ଏହି ବ୍ରୋଙ୍କୋ ଟେଷ୍ଟ ? ଏହି ଟେଷ୍ଟରେ ଖେଳାଳିଙ୍କ ଏରୋବିକ କ୍ଷମତା ଏବଂ ରନିଂ ଷ୍ଟାମିନାକୁ ପରଖାଯିବ । ଏଥିରେ ଖେଳାଳିଙ୍କୁ ଗୋଟିଏ ସେଟରେ ୨୦ ମିଟର, ୪୦ ମିଟର ଏବଂ ୬୦ ମିଟରର ସଟ୍ ରନ ପୂରା କରିବାକୁ ପଡିବ । ଏହି ପରି ମୋଟ୍ ପାଞ୍ଚଟି ସେଟ୍ ବିନା ଅଟକି ଦୌଡି କି ପୂରା କରିବାକୁ ପଡିବ । ରିପୋର୍ଟ ଅନୁଯାୟୀ, ଭାରତୀୟ ଖେଳାଳିଙ୍କୁ ବ୍ରୋଙ୍କୋ ଟେଷ୍ଟ ୬ ମିନିଟ୍ ଭିତରେ ପାସ୍ କରିବାକୁ ପଡିବ । ଜଣେ ଖେଳାଳିଙ୍କୁ ୫ଟି ଟେଷ୍ଟରେ ପ୍ରାୟ ୧୨୦୦ ମିଟର ଦୌଡିବାକୁ ପଡିବ ।