ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ ଟ୍ରଫି ଉଠାଇବା ପରେ ଅଚାନକ ରୋହିତ ଶର୍ମା ଓ ବିରାଟ କୋହଲି କ୍ରିକେଟର ସବୁଠୁ ଛୋଟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କଲେ । ଦୁଇ କିମ୍ବଦନ୍ତୀ ଖେଳାଳି ଏମିତି ଘୋଷଣା କରିବେ ବୋଲି କେହି ଆଶା କରି ନ ଥିଲେ । ପୁଣି ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ରୋହିତ ଶର୍ମା ଟେଷ୍ଟରୁ ଅବସର ନେଇଗଲେ । ଠିକ୍ ଏହାର ୫ ଦିନ ପରେ ଅର୍ଥାତ ଇଂଲଣ୍ଡ ଗସ୍ତ ପୂର୍ବରୁ ବିରାଟ କୋହଲି ମଧ୍ୟ କ୍ରିକେଟର ଏହି ଲମ୍ବା ଫର୍ମାଟରୁ ସନ୍ନ୍ୟାସ ଘୋଷଣା କଲେ । ଦୁଇ ଫର୍ମାଟରୁ ଅବସର ନେବା ପରେ ରୋହିତ ଏବଂ କୋହଲିଙ୍କୁ ଏବେ କେବଳ ଦିନିକିଆ କ୍ରିକେଟରେ ଦେଖିବାକୁ ମିଳିବ ।
କଥା ଏତିକିରେ ଅଟକିନି । ଏବେ ଦୁଇ ଖେଳାଳି ଦିନିକିଆରୁ କେବେ ସନ୍ନ୍ୟାସ ନେବେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସବୁ କିଛି ସ୍ପଷ୍ଟ କରି ଦେଇଛନ୍ତି । ଏଜା ସହିତ ବିରାଟ ଏବଂ ରୋହିତଙ୍କୁ କ୍ରିକେଟରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା କଥା ବି ସେ କହିଛନ୍ତି ।
ଏକ ୟୁଟ୍ୟୁବ ଚ୍ୟାନେଲରେ ବଡକାଷ୍ଟରେ ଶୁକ୍ଳାରେ ପ୍ରଶ୍ନ ହୋଇଥିଲା ଯେ, କଣ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସେମିତି ବିଦାୟ ସମ୍ବର୍ଦ୍ଧନା ମିଳିବ ଯେମିତି ସଚିନ ତେନ୍ଦୁଲକରଙ୍କୁ ମିଳିଥିଲା । ଉତ୍ତରରେ ରାଜୀବ ଶୁକ୍ଳା କହିଛନ୍ତି ଦୁଇ ଖେଳାଳିଙ୍କୁ ସେମିତି ବିଦାୟ ସମ୍ବର୍ଦ୍ଧନା ମିଳିବ ଯେମିତି ସଚିନଙ୍କୁ ମିଳିଥିଲା । ଏହା ପରେ ରାଜୀବ ଶୁକ୍ଳା କହିଛନ୍ତି ଦୁହେଁ କେବେ ଅବସର ନେଲେ । ରୋହିତ ଓ କୋହଲି ଦୁହେଁ ତ ଦିନିକିଆ ଖେଳୁଛନ୍ତି ।
ରାଜୀବ ଶୁକ୍ଳା କହିଛନ୍ତି ବିସିସିଆଇର ନୀତି ସ୍ପଷ୍ଟ ଯେ, ଆମେ କୌଣସି ଖେଳାଳିଙ୍କୁ କହି ପାରିବୁ ନାହିଁ ଯେ, ଆପଣ ଅବସର ନିଅନ୍ତୁ । ଖେଳାଳି ନିଜେ ନିର୍ଣ୍ଣ ନେବେ ଯେ, ସେମାନେ କେତେ ଦିନ ଖେଳି ପାରିବେ ଏବଂ କେବେ ଅବସର ନେବେ । ସେମାନଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଜଣାଇବୁ ।
ରାଜୀବ ଶୁକ୍ଳା କହିଛନ୍ତି, ବିରାଟ କୋହଲି ଏବେ ଫିଟ୍ ଅଛନ୍ତି । ରୋହିତ ଶର୍ମା ଭଲ ଖେଳୁଛନ୍ତି । ଆପଣମାନେ ଏବେଠୁ କାହିଁକି ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ଚିନ୍ତା କରୁଛନ୍ତି । ରାଜୀବ ଶୁକ୍ଳା ସ୍ପଷ୍ଟ କରି ଦେଇଛନ୍ତି ଯେ, ରୋହିତ ଏବଂ ବିରାଟ ଏବେ ଦିନିକିଆ କ୍ରିକେଟରୁ ଅବସର ନେଉ ନାହାନ୍ତି ।
Also read: ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଛଟେଇ! ୧୫ ବର୍ଷୀୟ ସଦସ୍ୟଙ୍କୁ ହଟାଇଲା ବିସିସିଆଇ